ଫରିଦାବାଦରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,ଏଜେନ୍ସି : ଗୁରୁବାର ଦିଲ୍ଲୀ ପଡ଼ୋଶୀ ହରିଆଣାର ଫରିଦାବାଦରେ ମୃଦୁ ଭୂକମ୍ପ ଅନୁଭୂତ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳୀ ଫରିଦାବାଦର ନାଚୋଲି ଥିବା ଜଣାପଡ଼ିଛି। ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁସାରେ ଗୁରୁବାର ଅପରାହ୍ଣ ୪ଟା ୨୪ ମିନିଟ୍ରେ ରିକ୍ଟର ସ୍କେଲରେ ୨.୫ ତୀବ୍ରତା ସମ୍ପନ୍ନ ଭୂକମ୍ପ ହୋଇଥିଲା। ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକମାନେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ। ତେବେ କିଛି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ। ମେ’ ୧୫ରେ ଦିଲ୍ଲୀରେ ୨.୨ ତୀବ୍ରତା ସମ୍ପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା। ସବୁଠାରୁ ଗୁରୁତ୍ୱର ବିଷୟ ହେଉଛି, ମାସକ ଭିତରେ ଦିଲ୍ଲୀରେ ୫ ଥର ମୃଦୁ ଭୂକମ୍ପ ହୋଇଯାଇଛି। ଦିଲ୍ଲୀ ସମେତ ଅଲୱାର, ହିସାର, ସୋନେପତ, ଆଜମେର ଭଳି ସହରଗୁଡ଼ିକ ଭୂକମ୍ପ ଜୋନ୍ ଅନ୍ତର୍ଭୁକ୍ତ ବୋଲି ଭାରତୀୟ ଭୂକମ୍ପ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।