ଘଞ୍ଚ ଜଙ୍ଗଲରେ ୧୨ ଘଣ୍ଟା ଫସି ରହିଲେ ୩୨ ପ୍ରବାସୀ

ଦାରିଙ୍ଗବାଡ଼ି,ଫୁଲବାଣୀ,ଏନ୍ଏନ୍ଏସ୍: ଘଞ୍ଚ ଜଙ୍ଗଲ ବଣ ପାହାଡ଼ ଘାଟି ରାସ୍ତାରେ ବସ୍ ଭିତରେ ଫସି ରହିଲେ ୩୨ପ୍ରବାସୀ। ଦୀର୍ଘ ୧୨ ଘଣ୍ଟା ପରେ ବସଟିକୁ ଉଦ୍ଧାର କରାଯାଇ ସେମାନଙ୍କୁ ନିଜ ଅଞ୍ଚଳକୁ ପଠାଯାଇଛି। ସୂଚନା ଅନୁସାରେ ଗତକାଲି ତାମିଲନାଡୁରୁ ଏକ ବସ୍ ଯୋଗେ ବଲାଙ୍ଗିର ଅଞ୍ଚଳର ୩୨ ଜଣ ପ୍ରବାସୀ ଫେରୁଥିବା ବେଳେ ଦାରିଙ୍ଗବାଡ଼ି ନିକଟ ୯ନଂ ବୁଲାଣିରେ ରାତି ପ୍ରାୟ ୮ଟା ସମୟରେ ବସଟି ଅଧିକା ଲମ୍ବା ଥିବାରୁ ଡ୍ରାଇଭ ଜଣଙ୍କ ବୁଲାଇ ପାରିନଥିଲେ।

ଖବରପାଇ ଦାରିଙ୍ଗବାଡ଼ି ଓ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ଦେଇଥିବା ବେଳେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ବସଟିକୁ ବାହର କରିବା ପାଇଁ ଚେଷ୍ଟା କରିଥିବା ସୂଚନା ମିଳିଅଛି। ତେବେ ଚେଷ୍ଟା ସଫଳ ନହେବାରୁ ବସଟି ରାତି ସାରା ସେଠାରେ ରହିଥିବା ବେଳେ ଯାତ୍ରୀମାନେ ସେମିତି ଅନ୍ଧାର ରାତିରେ ସେହି ଘାଟି ଜଙ୍ଗଲମଧ୍ୟରେ ରହିବାକୁ ବାଧ୍ୟ ହୋଇଥିଲେ। ଆଜି ସକାଳୁ ୨ଟି ଜେସିବି ଦ୍ୱାରା ବସଟିକୁ ବହୁ କଷ୍ଟରେ ସକାଳ ୧୧ଟା ବେଳେ ବାହାରକୁ ଅଣାଯାଇଥିଲା। ଏହା ପରେ ବସଟିକୁ ବଲାଙ୍ଗିର ଅଭିମୁଖେ ଯିବାକୁ ଦିଆଯାଇଥିଲା।

ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଓ ଗାଜଲବାଡ଼ି ମଧ୍ୟରେ ଥିବା ଏହି ଘାଟିର ୯ନଂ ବୁଲାଣିଟି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବା ବେଳେ ଅନେକ ସମୟରେ ବହୁ ବସ୍ ଟ୍ରକ୍ ଏଠାରେ ଫସି ରହିବା ସହ ଦୁର୍ଘଟଣା ଘଟୁଛି। ଗତ ଫେବୃଆରୀରେ ୪୫ଜଣ ପର୍ଯ୍ୟଟକ ପୁରୀ ଫେରୁଥିବା ସମୟରେ ଉକ୍ତ ସ୍ଥାନରେ ବସଟି ୫୦ ଫୁଟ ଖାଲଉପରେ ଓହଳି ରହିଥିଲା। ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।