କରୋନା ରୋଗ ଯନ୍ତ୍ରଣା ଠାରୁ ଅଧିକ କଷ୍ଟ ଘର ବାହୁଡା, ପାଦରେ ଚାଲି ଚାଲି ଅତିକ୍ରମ କରୁଛନ୍ତି ଶହ ଶହ କିଲୋମିଟର ଜିଲ୍ଲା By Nitidin On May 7, 2020 Share ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶ ଲକଡାଉନ ଥିବା ବେଳେ ଏହି କରୋନା ରୋଗ ଯନ୍ତ୍ରଣାଠାରୁ ଅଧିକ କଷ୍ଟ ଦେଇଛି ଶ୍ରମିକ ବର୍ଗଙ୍କୁ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ବିଭିନ୍ନ ରାଜ୍ୟର ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ନିଜ ଖର୍ଚ୍ଚରେ ଫେରିବାକୁ ସରକାରୀ ଆଦେଶ ବାହାରିବା ପରେ କେତେକ ପାଇଁ ଏହା ଖୁସି ଆଣି ଦେଇଥିବା ବେଳେ ଆଉ କେତେକଙ୍କୁ ଏହାର କୌଣସି ସୁଫଳ ମିଳିପାରୁନ ଥିବାର ଦେଖିବାକୁ ମିିଳିଛି। ଗତ କିଛିଦିନ ହେବ ମହାରାଷ୍ଟ୍ର, ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ ଦିନ ମଜୁରୀ କରୁଥିବା ଲୋକେ ଧାଡି ବାନ୍ଧି ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ନିଜ ନିଜ ଜନ୍ମମାଟିକୁ ଫେରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ମଧ୍ୟ ମହାରାଷ୍ଟ୍ର ଓ ଛତିଶଗଡ଼ ଅଞ୍ଚଳରେ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଗ୍ରାମରୁ ଯାଇ କାମ କରୁଥିବା ଶ୍ରମିକମାନେ ଅର୍ଥାଭାବରୁ ପିଲା ଛୁଆଙ୍କୁ କୋଳରେ ଧରି ବିପଦ ପୂର୍ଣ୍ଣ ଭାବେ ବିଭିନ୍ନ ଜଙ୍ଗଲିଆ ଓ ଘାଟି ରାସ୍ତା ଦେଇ ଚାଲି ଚାଲି ପାର ହେଉଥିବା ଦେଖାଯାଇଥିଲା। ଏହି କରୁଣ ଦୃଶ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ଦେଶ ବିଭାଜନ ସମୟର ଚିତ୍ର ସଦୃଶ୍ୟ ଅନୁଭବ କରିଥିବା ଦେଖିବାକୁ ମିଳିଛି। ଲକଡାଉନ ଯୋଗୁଁ ଅନେକ କଳକାରଖାନା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ଅନେକ ଶ୍ରମିକ ବେଉସା ହରାଇ ବସିଛନ୍ତି। ଫଳରେ ତାଙ୍କ ପାଖରେ ଅର୍ଥାଭାବ ଦେଖାଦେଇଛି। ଫଳରେ ଗରିବ ଦିନ ମଜୁରିଆ ଅର୍ଥାଭାବ କାରଣରୁ ଶରଣାର୍ଥୀ ସଦୃଶ୍ୟ ନିଜ ନିଜ ଗ୍ରାମକୁ ଭୋକ ଉପାସରେ ଫେରିବାକୁ ବାଧ୍ୟ ହେଉଛନ୍ତି। ତେବେ ସେମାନେ ଓଡ଼ିଶା ଦେଇ ନିଜ ରାଜ୍ୟକୁ ଗଲା ବେଳେ ବିଭିନ୍ନ ସ୍ଥାନରେ ସହୃଦୟ ବ୍ୟକ୍ତିମାନେ ସେମାନଙ୍କ ପାଇଁ ଜାଗା ଜାଗାରେ ଖାଦ୍ୟର ବ୍ୟବସ୍ଥା କରୁଥିବାରୁ ସେମାନେ ଓଡିଶା ବାସୀଙ୍କୁ ସାଧୁବାଦ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ମଧ୍ୟ ବାରକୋଟ ଦେଇ ଯାଇଥିବା ୨୩ନଂ ଜାତୀୟ ରାଜପଥ ଦେଇ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଶ୍ରମିକମାନେ ଚାଲି ଚାଲି ସୁଦୂର ବିହାର ଓ ଝାଡ଼ଖଣ୍ଡ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳିଥିଲା। Share