ଅସ୍ଥାୟୀ ଶିବିରରେ ପ୍ରବାସୀଙ୍କ ମୃତ୍ୟୁ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟ ସମଲେଇସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ଗତ ୧୬ ତାରିଖରୁ ସଂଘରୋଧରେ ରହିଥିବା ୬୫ ବର୍ଷୀୟ ଟିକେମଣି ତଅଲା ହଠାତ ଅସୁସ୍ଥ ହୋଇପଡ଼ିବା ଯୋଗୁ ତାଙ୍କୁ ପ୍ରଥମେ ଘସିଏନ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକଲ କଲେଜରେ ଚିକିତ୍ସା କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଟିକେମଣି ଛତିଶଗଡ଼ର ରାୟଗଡ଼ରେ ରହୁଥିବା ତାଙ୍କ ସାନ ପୁଅ ଧନମତ ତଅଲା ପାଖରେ ରହୁଥିଲେ। ଗତ୧୬ ତାରିଖ ଦିନ ନିଜ ଗାଁକୁ ଫେରିବା ପରେ ତାକୁ ଅସ୍ଥାୟୀ ଶିବିରରେ ରଖାଯାଇଥିଲା । ୧୭ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଘସିଏନ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ପଠାଯାଇଥିଲା । କିନ୍ତୁ ଏନେଇ ଘର ଲୋକଙ୍କୁ ଜଣାଯାଇ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଟିକେମଣିର ମୃତଦେହ ଗାଁରେ ପହଂଚିବା ପରେ ସେଠାରେ କିଛି ସମୟ ପର୍ୟ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଲରମ୍ଭା ପୁଲିସ ପହଂଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଟିକେମଣି ଆଗରୁ ସେପ୍ଟିସେମିଆ ରୋଗରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଏସଡିଏମ ଓ ଦିଲୀପ ବିଶ୍ୱାଳ ସୂଚନା ଦେବାପରେ ଉତ୍ୟକ୍ତ ଲୋକ ଶାନ୍ତ ପଡ଼ିଥିଲେ । ପରେ ପାଟଣାଗଡ଼ ପ୍ରଶାସନ ତରଫରୁ ରେଡକ୍ରସରୁ ୧୦ ହଜ।ର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିଲା ।

ଘଟଣା ସମ୍ପର୍କରେ ଜାଣିବା ପରେ ପାଟଣାଗଡ଼ ଏସଡିଏମଓ ଦିଲ୍ଲୀପ ବିଶ୍ୱାଳ, ଏସଡିପିଓ ସୁରେଶ ନାୟକ, ପାଟଣାଗଡ଼ ଥାନାର ସେକେଣ୍ଡ ଅଫିସର ବିଦେଶୀ ପ୍ରଧାନ, ଘସିଏନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୁଜୟ ମେହେର, ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱର ମେହେର, ନାଏବ ସରପଞ୍ଚ ସମିତିସଭ୍ୟ ଜୟନ୍ତ କୁମ୍ଭାର ଓ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ପ୍ରମୁଖ ପହଂଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।