ବରଗଡ,ଏନ୍ଏନ୍ଏସ୍ : ସଂପ୍ରତି ସମଗ୍ର ଦେଶ କରୋନା ଭୁତାଣୁର ସଂକ୍ରମଣ ରୋକିବା ନେଇ ସଂଘର୍ଷ ଜାରି ରଖିଥିବା ବେଳେ ବରଗଡ଼ରେ ବିଭିନ୍ନ ମାଇକ୍ରୋଫାଇନସ ଦ୍ୱାରା ବଳପୂର୍ବକ ଋଣ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସୋମବାର ବହୁ ମହିଲା ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ କରୋନା ଭୁତାଣୁ ପରିସ୍ଥତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଋଣ ଟଙ୍କା ଅସୁଲି କୋହଳ କରିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ବରଗଡ଼ ସଦର ବ୍ଳକ ବରଡୋଲ ନଦୀପଡାର ମହିଲାମାନେ ବିଭିନ୍ନ ମାଇକ୍ରୋଫାଇନାସରୁ ଋଣ ଆକାରରେ ଟଙ୍କା ଉଠାଇ କିସ୍ତି ଆକାରରେ ପରିଶୋଧ କରିଆସୁଥିଲେ । ବର୍ତମାନ ସ୍ଥିତିରେ କରୋନା ମୁକାବିଲା ପାଇଁ ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁ ଘୋଷଣା କରାଯାଇଥିଲା ।
ସେହିପରି ବିଭିନ୍ନ ସ୍ଥାନରେ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ସୋମବାର ଠାରୁ ବରଗଡ଼ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦଦେଇ ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏପରିସ୍ଥିତିରେ ସେମାନେ କାମ ଧନ୍ଦା ନ ପାଇ ବେରୋଜଗାର ହୋଇ ପଡିଥିବା ବେଳେ ଠିକ ଭାବରେ ଋଣ ଟଙ୍କା ପରିଶୋଧ କରିପାରୁ ନାହାନ୍ତି । ଅପରପକ୍ଷେ ବିଭିନ୍ନ ମାଇକ୍ରୋଫାଇନାସ କଂପାନୀ ତରଫରୁ ବଳପୂର୍ବକ ଋଣ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି । ବର୍ତମାନ ସ୍ଥିତିରେ ବେରୋଜଗାର ହୋଇ ମହିଲାମାନେ ଋଣ ଟଙ୍କା ପରିଶୋଧ କରିବାକୁ ଅସମର୍ଥ । ଯାହାକୁ ନେଇ ସଂପୃକ୍ତ ଅଚଂଳର ବହୁ ମହିଲା ସୋମବାର ବରଗଡ଼ ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ କରୋନା ଭୁତାଣୁ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଋଣ ଟଙ୍କା ଅସୁଲି କୋହଳ କରିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ରୀତା ରାଉତ, ସୁଜାତା ସାହୁ , ପଦ୍ମିନୀ ବିଶି, ସୀତା ଠାକୁର, ଭୂମି ଭୁଏ, ବାସନ୍ତ ଥନାପତି , କୁନ୍ତଲା ବେହେରା , ବାସନ୍ତି ଧରୁଆ, ସବିତା ମହଲା ଆଦି ବହୁ ମହିଲାଙ୍କ ଦସ୍ତଖତ ସମ୍ମିଳିତ ଦାବି ପତ୍ର ବରଗଡ଼ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ମିର୍ଧା ଟପ୍ପୋଙ୍କୁ ପ୍ରଦାନ କରାଯାଇଥିଲା ।