ମାଇକ୍ରୋଫାଇନାନ୍ସ କମ୍ପାନୀ ପକ୍ଷରୁ ଋଣ ଟଙ୍କା ଆଦାୟକୁ ନେଇ ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ସମୟରେ ସମସ୍ତ ଋଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡ଼ା ଜିଲ୍ଲାରେ କିଛି ମାଇକ୍ରୋଫାଇନାନ୍ସ କମ୍ପାନୀ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତିି। ମାଇକ୍ରୋଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ ଉପଭୋକ୍ତାମାନଙ୍କୁ ସେମାନେ ଉଠାଣ କରିଥିବା ଟଙ୍କା ପୈଠ କରିବାକୁ ବାଧ୍ୟ କରୁଛନ୍ତି। ଏହାସହ ଲକଡାଉନ ସମୟରେ ପୈଠ କରିନଥିବା ଟଙ୍କାର ୨୪ ପ୍ରତିଶତ ଅଧିକ ସୁଧ ଦେବାକୁ ପଡ଼ିବ ବୋଲି କହୁଛନ୍ତି। ଏହି ସମୟରେ ସେମାନେ ସରକାରଙ୍କ ପକ୍ଷରୁ ମିଳିଥିବା ଖାଉଟୀ ସାମଗ୍ରୀ ଓ ସହାୟତା ରାଶିରେ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏହି ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ସେମାନଙ୍କଠାରୁ ଟଙ୍କା ଆଦାୟ କରି ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଆରବିଆଇ ଟଙ୍କା ଆଦାୟ କରିବା ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛି, ଯେଉଁଥିରେ ଏବେ ଟଙ୍କା ପୈଠ ନକଲେ ୨୪ ପ୍ରତିଶତ ଅଧିକ ସୁଧ ଦେବାକୁ ପଡ଼ିବ ବୋଲି କହି ଏଜେଣ୍ଟମାନେ ସେମାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରୁଛନ୍ତି। ଦି’ଓଳି ଖାଇବା ପାଇଁ ଟଙ୍କା ନଥିବା ଏହି ଗରିବ ମହିଳାଙ୍କ ଉପରେ ଟଙ୍କା ଆଦାୟ ପାଇଁ ଏପରି ଚାପ ପ୍ରୟୋଗ କରାଗଲେ ସେମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ତେଣୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଟଙ୍କା ଆଦାୟ ବନ୍ଦ କରାଯାଉ ବୋଲି ଝାରସୁଗୁଡ଼ା ଜିଲ୍ଲା ତଲିଭଟା, ବୁରୋମାଲ, ଲଖନପୁର, କିର୍ମିରା, ଲଇକେରା, କୋଲାବିରା ଅଂଚଳର ଗରିବ ମହିଳାମାନେ ଦାବି କରଛନ୍ତି। ଏଥିôସହିତ ଅନେକ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ମାଇକ୍ରୋଫାଇନାନ୍ସ କମ୍ପାନୀର ଶୋଷଣରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଦାବି କରିଛନ୍ତି।