ଏମ୍ଆଇ-୧୭ ହେଲିକପ୍ଟର ଖସାଇବା ମାମଲାରେ ବାୟୁସେନା ଅଧିକାରୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ବଡ଼ଗାଁଓରେ ଗତ ଫେବୃଆରୀ ୨୭ରେ ଶତ୍ରୁସେନାର ଭାବି ଭୁଲବଶତଃ ଗୁଳିକରି ଖସାଇ ଦେଇଥିବା ଏମ୍ଆଇ-୧୭ ହେଲିକପ୍ଟର ଘଟଣାରେ ବାୟୁସେନାର ୨ ଅଧିକାରୀ କୋର୍ଟମାର୍ଶାଲର ସମ୍ମୁଖୀନ ହେବେ। ୪ ଅନ୍ୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ। ଏହି ଦୁର୍ଘଟଣାରେ ବାୟୁସେନାର ୬ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଗ୍ରୁପ୍ କ୍ୟାପଟେନ ଓ ଜଣେ ଉଇଙ୍ଗ୍ କମାଣ୍ଡରଙ୍କ କୋର୍ଟମାର୍ଶାଲ ହେବ।

ଏମାନଙ୍କ ବ୍ୟତୀତ ୨ ଏୟାର କମାଣ୍ଡର ଓ ୨ ଫ୍ଲାଇଟ୍ ଲେଫ୍ଟନାଣ୍ଟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପୂର୍ବରୁ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆ ଅକ୍ଟୋବର ୪ରେ କହିଥିଲେ, ଏମଆଇ-୧୭ ହେଲିକପ୍ଟରକୁ ଖସାଇ ଦିଆଯିବା ଘଟଣାର କୋର୍ଟ ଅଫ୍ ଏନକ୍ୱାରି ଶେଷ ହୋଇଛି। ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ, ତାହା ସୁନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ବାୟୁସେନାର ଏୟାର କମୋଡର ର୍ୟାଙ୍କର ଜଣେ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।