ମାଲକାନଗିରି,ଏନ୍ଏନ୍ଏସ୍: ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ମୋଟୁ ସୀମା ଦେଇ ରାଜ୍ୟରେ ପ୍ରବେଶ କରୁଛନ୍ତି। ସେଥିପାଇଁ ମୋଟୁସ୍ଥିତ ସିଲେରୁ ନଦୀ ପୋଲର ଉଭୟ ପାଶ୍ୱର୍ରେ ଆନ୍ଧ୍ର ଓ ମୋଟୁ ଥାନା ପୁଲିସ ଦ୍ୱାରା ଚେକପୋଷ୍ଟ ଖୋଲାଯାଇଛି। ଏହି ବାଟ ଦେଇ ପ୍ରବେଶ କରୁଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାନବାହାନ ଓ ଶ୍ରମିକଙ୍କ ପଞ୍ଜିକରଣ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଉଛି। ଆନ୍ଧ୍ର ପ୍ରଦେଶରୁ ମୋଟୁ ଦେଇ ଆସୁଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଥର୍ମାଲ ଟେଷ୍ଟ କରାଯାଉଛି। ଲକ୍ଷଣ, ଟ୍ରାଭେଲ ହିଷ୍ଟ୍ରି ପଚାରାଯାଉଛି ଓ ଆବଶ୍ୟକସ୍ଥଳେ ଔଷଧ ଦିଆଯାଉଛି ଏବଂ ନ କମିଲେ ନମୂନା ସଂଗ୍ରହ କରାଯାଉଛି ବୋଲି ଡାକ୍ତର ଏମ.ଟୁଡ଼ୁ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୮୧ ସରକାରୀ ଉଚ୍ଚ ବିଦ୍ୟାଳୟର ଅସ୍ଥାୟୀ ସଂଗରୋଧ ଗୃହରେ ଛତିଶଗଡ଼, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାର ମୋଟ ୮୫ଜଣଙ୍କୁ ରଖାଯାଇଛି। ଗତ ୧ ମାସ ମଧ୍ୟରେ ମୋଟ ୧୨୩୬ ଜଣ ଶ୍ରମିକ ଆସିଛନ୍ତି। ସଂଗରୋଧ ପରେ ୪୨୭ଜଣ ଘରକୁ ଫେରିବା ପରେ ୯୭୨ଜଣ ସଂଗରୋଧ କେନ୍ଦ୍ର ଓ କ୍ଷେତ୍ର ସ୍ୱାସ୍ଥ୍ୟ ଶିବିରରେ ରହିଛନ୍ତି। ସେମାନଙ୍କୁ ଏସଏଚଜି ଦଳ ଦ୍ୱାରା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି କାଲିମେଳା ବିଡିଓ ଉମା ଶଙ୍କର ଦଳାଇ ପ୍ରକାଶ କରିଛନ୍ତି।