ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି, ବିଜେପି ଆଗୁଆ

ନୂଆଦିଲ୍ଲୀ,ଏଜେନ୍ସି: ଗତ ୨୧ତାରିଖରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନର ହୋଇଥିବା ବେଳେ ଗୁରୁବାର ସକାଳେ ଏହାର ଗଣନା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୩ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ସହଯୋଗୀ ଦଳମାନେ ୭୧ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି।
ସେହିପରି ହରିୟାଣାରେ ବିଜେପି ୫୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୩ଟି ବିଧାନସଭା ଆସନରେ ଆଗୁଆ ରହିଛି। ଉଭୟ ରାଜ୍ୟରେ ମତଗଣନା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ ମୋଟ ୨୮୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହୋଇଥିବାବେଳେ ସରକାର ଗଢ଼ିବା ପାଇଁ ୧୪୫ଟି ଆସନ ଦରକାର। ସେହିଭଳି ହରିୟାଣାରେ ୯୦ଟି ବିଧାନସଭା ମଣ୍ଡଳୀରେ ଭୋଟ ଗ୍ରହଣ ହୋଇଥିବା ବେଳେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ଜଣାପଡ଼ିଛି।