ରବର ଚକାରେ ଚାଲିବ ମେଟ୍ରୋ

ମୁମ୍ବାଇ: ବିଦେଶ ଭଳି ଆସନ୍ତା ଦିନମାନଙ୍କରେ ଭାରତରେ ମଧ୍ୟ ମେଟ୍ରୋଗୁଡ଼ିକ ଟାୟାରରେ ଦୌଡ଼ିବ। ମେଟ୍ରୋ ଲାଇଟ୍ ପରେ କେନ୍ଦ୍ର ସରକାର ବର୍ତ୍ତମାନ ରାସ୍ତାରେ ମେଟ୍ରୋକୁ ଚଲାଇବା ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହାକୁ ଛୋଟ ଛୋଟ ସହରରେ ଚଲାଯିବ। ସର୍ବପ୍ରଥମେ ମହାରାଷ୍ଟ୍ରର ନାସିକ୍ ସହରରେ ଏହାକୁ ଚଲାଇବାର ଯୋଜନା ରହିଛି।

ଟାୟାରରେ ଚାଲୁଥିବା ମେଟ୍ରୋର ମାନ ନିର୍ଣ୍ଣୟ କରିବା ଲାଗି ଏକ କମିଟି ଗଠନ କରାଯାଇଛି ବୋଲି ଆବାସ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। କମିଟି ନିକଟରୁ ରିପୋର୍ଟ ମିଳିବା ପରେ ଟାୟାର୍ ଜରିଆରେ ମେଟ୍ରୋ ଚଲାଯିବା ପ୍ରସଙ୍ଗରେ ବିଚାରବିମର୍ଶ କରାଯିବ ଏବଂ ରାଜ୍ୟ ତଥା ଜନସାଧାରଣଙ୍କ ପରାମର୍ଶ ପାଇଁ ଏହାକୁ ସର୍ବସମ୍ମୁଖରେ ଉପସ୍ଥାପନ କରାଯିବ। ବର୍ତ୍ତମାନର ବ୍ୟବସ୍ଥାରେ ମେଟ୍ରୋ ରେଳ ପରିଚାଳନାର ଖର୍ଚ୍ଚ କିଲୋମିଟର ପିଛା ୩୦୦ କୋଟି ଟଙ୍କା ହୋଇଥିବାବେଳେ ମେଟ୍ରୋ ଲାଇଟ୍ ର ପରିଚାଳନାର ଖର୍ଚ୍ଚ କିଲୋମିଟର ପିଛା ୧୦୦ କୋଟି ଟଙ୍କା ଏବଂ ଟାୟାର୍ ଦ୍ୱାରା ମେଟ୍ରୋ ଚଲାଇବା ଉପରେ ଆନୁମାନିକ ଖର୍ଚ୍ଚ କିଲୋମିଟର ପିଛା ୬୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି।

ଏଥିସହ ପାଞ୍ଚଗୁଣ ଶସ୍ତା ଟେକ୍ନିକରେ ଚାଲିବାକୁ ଥିବା ଏହି ମେଟ୍ରୋର ପରିଚାଳନା ଛୋଟ ସହର ପାଇଁ ଉପଲବ୍ଧ ହେବ। ଏହାର ପରିଚାଳନା ପାଇଁ ଦିଲ୍ଲୀ ସରକାରଙ୍କ ଠାରୁ ମନ୍ତ୍ରଣାଳୟକୁ ପ୍ରସ୍ତାବ ମିଳିବା ପରେ ଏହି ପରିଯୋଜନାର କାର୍ଯ୍ୟ ଆରମ୍ଭ ହେବ।