ପଦ୍ମବିଭୂଷଣ ପାଇଁ ମେରୀ କମ୍ ମନୋନୀତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଦ୍ୱିତୀୟ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ପ୍ରଥମ ମହିଳା ଆଥ୍ଲେଟ୍ ଭାବେ ବକ୍ସିଂ ଚାମ୍ପିଅନ୍ ଏମ୍ସି ମେରୀ କମଙ୍କ ନାମକୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି। ୬ଥର ବିଶ୍ୱ ଚାମ୍ପିଅନ୍ ମେରୀ କମ୍ ୨୦୧୩ରେ ପଦ୍ମ ଭୁଷଣ ଓ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି। ଭାରତ ରତ୍ନ ପରେ ପଦ୍ମ ବିଭୂଷଣ ଭାରତୀୟ ଦ୍ୱିତୀୟ ଶ୍ରେଷ୍ଠ ସମ୍ମାନ। ସେହିପରି ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁଙ୍କୁ ମଧ୍ୟ ପଦ୍ମ ଭୁଷଣ ପାଇଁ ମନୋନୀତ କରାଯାଇଛି।

୨୦୧୭ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ମେନାନୀତ କରାଯାଇଥିଲା। କିନ୍ତୁ ସେ ଅନ୍ତିମ ତାଲିକାରୁ ବାଦ ପଡ଼ିଥିଲେ। ୨୦୧୫ରେ ସିନ୍ଧୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ଏହି ଦୁଇ ମହିଳା କ୍ରୀଡ଼ାବିତଙ୍କ ବ୍ୟତୀତ ଆଉ ୯ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ପୁରୁଷ କ୍ରୀଡ଼ାବିତ ତୀରନ୍ଦାଜ ତରୁଣଦୀପ ରାୟ, ଅଲିମ୍ପିଆନ୍ ଏମ୍ପି ଗଣେଶ ରହିଛନ୍ତି।

ଅନ୍ୟ ୭ଜଣ ମହିଳାଙ୍କ ମଧ୍ୟରେ ରେସଲର ଭିନେଶ ଫେନ୍ତ୍, ଟେବଲ ଟେନିସ୍ ଖେଳାଳି ମାନିକ ବାତ୍ରା, ଟି-୨୦ କ୍ରିକେଟ ଅଧିନାୟିକା ହରମନ୍ପ୍ରୀତ୍ କୌର, ହକି ଦଳ ଅଧିନାୟିକା ରାଣୀ ରାମପଲ, ପୂର୍ବତନ ଶୁଟର ସୁମା ଶିରୁର ଏବଂ ପର୍ବତାରୋହୀ ଜାଆଁଳା ଭଉଣୀ ତାଶୀ ଓ ନୁଙ୍ଗସୀ ମଲିକ ରହିଛନ୍ତି। ତେବେ ଏହି ତାଲିକାର ଅନ୍ତିମ ଭାଗରେ ତରୁଣଦୀପ ରାୟ ଓ ଗଣେଶଙ୍କ ନାମକୁ ଯୋଡା ଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ସ୍ୱିକୃତୀ ଦେଇନାହାନ୍ତି। ଗଶେଶ ୧୯୭୨ ମୁନିଚ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ରହିଥିଲେ। ଏହାବ୍ୟତୀତ ଭାରତୀୟ ହକି ଦଳ ୧୯୭୧ ବିଶ୍ୱକପ୍ରେ ବାର୍ସେଲୋନାରେ ବ୍ରୋଞ୍ଜ ପଦକ ଓ ୧୯୭୩ରେ ଆର୍ମଷ୍ଟରଡାମରେ ରୌପ୍ୟ ପଦକ ଜିତିଥିବା ଦଳରେ ଖେଳୁଥିଲେ। ପଦ୍ମ ପୁରସ୍କାର ପାଇଁ ଚୂଡାନ୍ତ ତାଲିକା ୨୦୨୦ ସାଧାରଣତନ୍ତ୍ର ଦିବସରେ ଘୋଷଣା କରାଯିବ।