ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏ ନେଇ ବିଭିନ୍ନ ସ୍ଥାନରେ ନିଆଁ ବର୍ଷା ହେଉଥିବା ବେଳେ ବୁଧବାର ୩ଟି ସ୍ଥାନରେ ପାରଦ ୪୦ଡ଼ିଗ୍ରୀ ଉପରେ ଥିବାବେଳେ ଗୁରୁବାର ୫ଟି ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହେବା ସହ ଆଗକୁ ମଧ୍ୟ ତାପମାତ୍ରା ବଢ଼ିପାରେ ବୋଲି କୁହାଯାଇଛି। ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି ତାଳଚେରରେ। ଏଠାରେ ପାରଦ ୪୧.୧ ଡ଼ିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୧ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବଲାଙ୍ଗିର, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି।
ଏହାଛଡ଼ା କଟକ, ଭୁବନେଶ୍ୱର, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ସୋନପୁର, ନୟାଗଡ଼ରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୩ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିୟସ ଉପରେ ରହିଛି। ଆସନ୍ତା ୩ଦିନ ପର୍ୟ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩ଡ଼ିଗ୍ରୀ ଉପରେ ରହିବା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ଡ଼ିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବୁେଲଟିନରେ କୁହାଯାଇଛି ଯେ ବିହାର ଉତ୍ତରାଞ୍ଚଳରୁ ଓଡ଼ିଶା ପର୍ୟ୍ୟନ୍ତ ଏକ ଟ୍ରଫ ଲାଇନ ଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ।
ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହେବ। ୪ତାରିଖରେ ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି।