ପ୍ୟାସେଞ୍ଜର ବଦଳରେ ଏଣିକି ଚାଲିବ ମେମୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାତ୍ରୀଙ୍କ ଯାତ୍ରାକୁ ସମୟସାପେକ୍ଷ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ,କଟକ, ଭଦ୍ରକ ଓ ପାରାଦୀପ ମଧ୍ୟ ଦେଇ ମେମୁ ଟ୍ରେନ୍ ଚଳାଚଳ ହେବ ବୋଲି ରେଳବିଭାଗ ପକ୍ଷରୁ ସୂଚନା ମିଳିଛି। ସାଧାରଣ ଭାବେ ମେମୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାହାର ଉଭୟ ଆଗ ଓ ପଛରେ ଇଞ୍ଜିନ୍ ସଂଯୋଗ କରାଯାଇଥାଏ। ଯାହା ଦ୍ୱାରା ଟ୍ରେନ୍ ସମୟ ସାପେକ୍ଷ ହୋଇଥାଏ। ଏହାବ୍ୟତୀତ ପ୍ୟାସେଞ୍ଜର ଟ୍ରେନ୍ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ମଧ୍ୟ ଯାତ୍ରା କରେ ।

ତେବେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖଠାରୁ ପୁରୀ-କଟକ ଓ କଟକ-ପୁରୀ ମେମୁ ଟ୍ରେନ୍ ଚଳାଚଳ ହେବ। ସେହିଭଳି କଟକ-ଭଦ୍ରକ ମେମୁ ଟ୍ରେନ୍କୁ କଟକ-ଭଦ୍ରକ ପ୍ୟାସେଞ୍ଜର ଟ୍ରେନ୍ ବଦଳରେ ବ୍ୟବହାର କରାଯିବ। କଟକ- ପାରାଦୀପ ପ୍ୟାସେଞ୍ଜରକୁ ବଦଳାଇ ମେମୁ ଟ୍ରେନ୍ ଚଳାଚଳ ହେବ। ଅର୍ଥାତ ରାଜ୍ୟରେ ପୁରୀ, କଟକ, ଭଦ୍ରକ ଓ ପାରାଦୀପକୁ ଚାଲୁଥିବା ପ୍ୟାସେଞ୍ଜର ଟ୍ରେନକୁ ବନ୍ଦ କରି ମେମୁ ଟ୍ରେନ୍ ଚଳାଚଳ କରାଯିବ। ତେବେ ଟ୍ରେନର ସମୟ ସାରଣୀକୁ ନେଇ କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ୟାସେଞ୍ଜର ଟ୍ରେନ୍ ଯେଉଁ ସମୟରେ ଚଳାଚଳ କରଥିଲା ସେହି ନିର୍ଦ୍ଦିଷ୍ଟ ସମୟରେ ମେମୁ ଚଳାଚଳ କରିବ।