ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳାରେ ଓଡ଼ିଶା ମଣ୍ଡପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ମେଳାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଥିଲେ। ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସରଞ୍ଜନ ମଙ୍ଗରାଜ, ଆଇଏଏସ୍ ସଞ୍ଜୀବ କୁମାର ମିଶ୍ର, ଆଇଏଏସ୍ ସଞ୍ଜୟ କୁମାର ସିଂହ ଓ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ ସ୍ଥାନ ପାଇଛି।

ମଣ୍ଡପରେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା, ବ୍ୟବସ୍ଥା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ତରିକ ସହଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ବାଣିଜ୍ୟ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଡାଲ ବିଭାଗଭାବେ ଅଂଶଗ୍ରହଣ କରିଥିବା ବେଳେ ଇପିକଲ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ସହଯୋଗୀ ବିଭାଗ ଭାବେ ଯୋଗ ଦେଇଛନ୍ତି।

ଏହା ବ୍ୟତିତ ଉତ୍କଳିକା ଓ ବୟନିକା ମାଧ୍ୟମରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାରପ୍ରସାର ପାଇଁ ୨ଟି ଷ୍ଟଲ ଏବଂ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପ୍ରସ୍ତୁତ ସୂତା କପଡ଼ା ଓ ଓଡ଼ିଶାର ତାରକସି କାମର ୨ଟି ଷ୍ଟଲ ଏହିପରି ୪ଟି ଷ୍ଟଲ ଆଇଟିପିଓ ପକ୍ଷରୁ ସ୍ଥାନ ପାଇଛି। ଏହା ସହିତ ଓଡ଼ିଶାର ବଛା ବଛା ୭ଟି ସାଂସ୍କୃତିକ ଦଳ ପକ୍ଷରୁ ଆସନ୍ତା ୨୧ତାରିଖରେ ପ୍ରଗତି ମଇଦାନର ହଂସଧ୍ୱିନ ଥିଏଟରରେ ଓଡ଼ିଶା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ବିଷୟ ବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ଭରପୂର ବ୍ୟବସାୟିକ ଭିତ୍ତିଭୂମିର ପ୍ରକୃତ ମୂଲ୍ୟାୟନ ଓ ସଦୁପଯୋଗ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଆଜି ସମଗ୍ର ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିପାରିଛି।