ମାହାଙ୍ଗାରେ ମେଘା ପାନୀୟ ଜଳ ପ୍ରକଳ୍ପ, କାର୍ଯ୍ୟକାରୀ ପୂର୍ବରୁ ଭାଙ୍ଗିଗଲାଣି

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍‌ରେ ମେଘା ପାନୀୟଜଳ ପ୍ରକଳ୍ପ ନାମରେ ଚାଲିଛି ହରିଲୁଟ୍। ନିମ୍ନମାନର ଭୂତଳ ଜଳ ମଞ୍ଚ ନିର୍ମାଣ ସହିତ କାର୍ଯ୍ୟକାରୀ ହେବା ପୂର୍ବରୁ ବହୁ ମେଘା ପ୍ରକଳ୍ପ ଦ୍ୱାରା ତିଆରି କରାଯାଇଥିବା ଷ୍ଟାଣ୍ଡ ପଏଣ୍ଟଗୁଡିକ କାର୍ଯ୍ୟକାରୀ ପୂର୍ବରୁ ଭଙ୍ଗା ଗଲାଣି। କାଗଜ ପତ୍ରରେ ଘରକୁ ପାଇପ ଲାଇନ ସଂଯୋଗ କରାଯାଇଥିବା ଦର୍ଶାଯାଇଥିଲା ବେଳେ ବାସ୍ତବ କ୍ଷେତ୍ରରେ ତାହା କରାଯାଇ ନାହିଁ। ଏପରିକି ୩ ଫୁଟ୍ ୩ ଇଞ୍ଚ ତଳେ ପାଇପ ବିଛା ହେବାର ନିୟମ ଥିବା ବେଳେ ୧ ଫୁଟ୍ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଭୂତଳ ପାଇପ ବିଛା ହୋଇଥିବା ଅଭିେଯୋଗ ହେଉଛି। ଏହି ମେଘା ପାନୀୟଜଳ ପ୍ରକଳ୍ପ ମାହାଙ୍ଗା ବ୍ଲକ୍‌ରେ ଦିଗହରା ହୋଇପଡିଛି। ଆବଶ୍ୟକତା ନଥାଇ ମାହାଙ୍ଗା ବ୍ଲକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ନର୍ମାଣ ଚାଲିଛି ପାନୀୟ ଜଳ ପ୍ରକଳ୍ପ। ପ୍ରତି ଘରେ ଘରେ ନଳକୂପ ରହିଛି।

ବିଭିନ୍ନ ସାହି ଓ ଛକମାନଙ୍କରେ ମୋଟ ୩୧୪୭ଟି ସରକାରୀ ନଳକୂପ ରହିଛି। ଏହା ସତ୍ତ୍ୱେ ବି ମାହାଙ୍ଗା ବ୍ଲକର ୩୭ଟି ପଞ୍ଚାୟତରେ ମୋଟ ୫୯ଟି ପାନୀୟ ଜଳ ପ୍ରକଳ୍ପ ରହିଥିଲା ବେଳେ ୨୫ଟି ଉଚ୍ଚ ଜଳମଞ୍ଚ ନିର୍ମାଣ କରାଯାଇଛି। ଏହି ଜଳ ମଞ୍ଚ ନିର୍ମାଣରେ ୪ କୋଟି ୨୧ ଲକ୍ଷ ୬୯ ହଜାର ଖର୍ଚ୍ଚ ହୋଇଥିବା ଆରଡବ୍ଲୁଏସ୍ ଆଣ୍ଡ ଏସ୍ ଡିଭିଜନ କଟକ ଚିଠି ନଂ ୮୭୯, ତା. ୧୮.୦୨.୨୦୨୧ ରିଖରେ ସୂଚନା ତଥ୍ୟରେ ପ୍ରଦାନ କରାଯାଇଥିଲା। ଚିଠି ନଂ ୯୯, ମାହାଙ୍ଗା ବ୍ଲକ୍‌ ଆରଡବ୍ଲୁଏସ୍ ଆଣ୍ଡ ଏସ୍ ସେକ୍‌ସନ ତା. ୦୧.୦୯.୨୦୧୫ ରିଖରେ ପ୍ରଦାନ କରିଥିବା ସୂଚନା ତଥ୍ୟରେ ଦର୍ଶାଯାଇଥିଲା ଯେ ମାହାଙ୍ଗା ବ୍ଲକର ୩୪ଟି ପଞ୍ଚାୟତରେ ୪୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ୮ଟି ଉଚ୍ଚ ଜଳ ମଞ୍ଚ ନିର୍ମାଣ କରାଯାଇଛି। ଗୋଟିଏ ଜଳମଞ୍ଚ ନିର୍ମାଣ ବାବଦରେ ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫ରୁ ୨୦୨୧ ମଧ୍ୟରେ ବିଭାଗ ତରଫରୁ ନୂଆକରି ୧୭ଟି ଉଚ୍ଚ ଜଳ ମଞ୍ଚ ନିର୍ମାଣ କରାଯାଇଥିଲା।

ବର୍ତ୍ତମାନ ମାହାଙ୍ଗା ବ୍ଲକର ୩୭ଟି ପଞ୍ଚାୟତରେ ୩୭ଟି ପାଣି ଟାଙ୍କି ତିଆରିକାମ ଚାଲିଛି। ତେବେ ୮ ବର୍ଷ ତଳେ ନିର୍ମାଣ କରାଯାଇଥିବା ଟାଙ୍କି ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ଏବେ ଉକ୍ତ ପାଣିଟାଙ୍କି ଗୁଡିକ କ’ଣ ଅଚଳ ହୋଇଯିବ। ଯେଉଁ ପଞ୍ଚାୟତରେ ପାଣି ଟାଙ୍କି ରହିଛି ସେହି ପଞ୍ଚାୟତରେ ନୂତନ ପାଣିଟାଙ୍କି ତିଆରି କରିବାର ଆବଶ୍ୟକତା ରହିଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାହାଙ୍ଗାରେ ଜଳ ସଂକଟର ପ୍ରଶ୍ନ ଉଠୁନାହିଁ। ଅନେକ ସ୍ଥାନରେ ଭୂତଳ ପାନୀୟଜଳ ପାଇପ ଫାଟି ଟ୍ୟାପ୍‌ରୁ ଅନବରତ ପାଣି ବାହାରୁଛି। ଆରଡବ୍ଲୁଏସ୍‌ଏସ୍ ସଠିକ୍ ତଥ୍ୟ ଦେଉନାହିଁ।

ମେଘା ଯୋଜନା ପ୍ରକଳ୍ପରେ ୨୪ ଘଣ୍ଟିଆ ପ୍ରତିଘରକୁ ପାନୀୟ ଜଳ ଯୋଗାଣ ହେବ। ଯାହାଫଳରେ ଅଧିକ ଜଳ ନଷ୍ଟ ହେବାର ଆଶଙ୍କା ରହିଛି। ପୋଖରୀରେ ଜଳ ଶୁଖିଯିବାରୁ ସାଧାରଣ ବନ୍ୟଜନ୍ତୁମାନେ ପାଣି ନପାଇ ଡହଳ ବିକଳ ହେଉଛନ୍ତି। ଏଣେ ମେଘା ପ୍ରକଳ୍ପରେ ନିମ୍ନମାନର କାମ ଚାଲିଛି। କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନଥିବା ଚର୍ଚ୍ଚା ହେଉଛି। ଏ ସଂପର୍କରେ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ନାମକୁ ମାତ୍ର ତଦନ୍ତ କରି ନିଜ ମୁଣ୍ଡରୁ ଦୋଷ ଛଡାଉଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ କୋଟି କୋଟି ଟଙ୍କା ବ୍ୟୟରେ ପୂର୍ବରୁ ତିଆରି କରାଯାଇଥିବା ପାଣିଟାଙ୍କି ଓ ପାନୀୟଜଳ ପ୍ରକଳ୍ପର ଭାଗ୍ୟ କ’ଣ ହେବ। କେଉଁ ଆଧାରରେ ମାହାଙ୍ଗା ବ୍ଲକ୍‌କୁ ମେଘା ପାନୀୟଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନିରପେକ୍ଷ ତଦନ୍ତ ପୂର୍ବକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।