ବାରକୋଟରେ ଜିଲ୍ଲା ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ସମ୍ପ୍ରତି ସାରା ଦେଶରେ କରୋନା ମହାମାରିକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ ରକ୍ତ ଭଣ୍ଡାରରେ ରୋଗୀଙ୍କ ପାଇଁ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ନଜରରେ ରଖି ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ବାରକୋଟ ଥାନା ପୁଲିସ ଆଜି ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଛି। ସ୍ଥାନୀୟ ପଞ୍ଚାୟତ କଲେଜ ପରିସରରେ ଆୟୋଜିତ ଶିବିରରେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧ୍ୟୀକ୍ଷକ ରାହୁଲ ଜୈନ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ବାରକୋଟ ଥାନା ପୁଲିସର ସମସ୍ତ ଅଧିକାରୀ ଓ କର୍ମଚାରୀ, ୪ର୍ଥ ଆଇଆରବି ବାଟାଲିୟନର ଯବାନ ଓ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଜିଲ୍ଲା ପୁଲିସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ବିଶେଷ ନିମନ୍ତ୍ରୀତ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ, ୪ର୍ଥ ଆଇଆରବି ବାଟାଲିଅନର କମାଣ୍ଡେଣ୍ଟ ରଞ୍ଜିତ କୁମାର ତ୍ରିପାଠୀ, ଡେପୁଟି କମାଣ୍ଡେଣ୍ଟ ଲକ୍ଷ୍ମଣ ସିଂ, ବାରକୋଟ ବିଡିଓ ଟୁନୁ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ରିଜର୍ଭ ଇନ୍ସପେକ୍ଟର କାଳୀଚରଣ ମାଝୀ, ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।