ଦେବଗଡ଼,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ଉପଲକ୍ଷେ ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ରିଆମାଳ ବ୍ଲକ୍ ଚଢେଇମରା ପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ଓଡିଶା ମୋ’ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରିଆମାଳ ବ୍ଲକ୍ ଉପାଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ ଓ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟ, ଜିଲ୍ଲା କୃଷକ ସେଲ ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନ, ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଓ କର୍ମଚାରୀଙ୍କ ପରିଚାଳନାରେ ଆୟୋଜିତ ରକ୍ତଦାନ ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।