୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଆଜି ବସୁଛି ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଉପରେ ଆଲୋଚନା ଲାଗି ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ନିର୍ବାଚନ ଆୟୋଗର ବୈଠକରେ ଆଗାମୀ ବିଧାନସଭା ନିର୍ବାଚନର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ନେଇ ଚର୍ଚ୍ଚା ହେବ। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରିରେ ଚଳିତ ବର୍ଷ ମେ’-ଜୁନରେ ବିଧାନସଭା ନିର୍ବାଚନ ହେବ।

କରୋନା ସଂକଟ ସମୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ନିର୍ବାଚନ ହେବାକୁ ଯାଉଛି। ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ରାଜ୍ୟଗୁଡ଼ିକରେ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ କରାଇଥିଲେ। ସାମାଜିକ ଦୂରତାକୁ ପାଳନ କରି ମତଦାନ କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢ଼ାଯାଇଥିଲା।

ନିର୍ବାଚନ ଆୟୋଗର ଉପନିର୍ବାଚନ କମିସନର ଓ ପ୍ରଭାରୀ ସୁଦୀପ ଜୈନ ପ୍ରସ୍ତୁତି ସଂପର୍କରେ ଅବଗତ ହେବା ଲାଗି ଶୁକ୍ରବାର କୋଲକାତା ଗସ୍ତ କରିବେ। ନିଜର ଗସ୍ତ କାଳରେ ସୁଦୀପ ଜୈନ ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କ ସହିତ ବୈଠକରେ ଆଲୋଚନା କରିବେ। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଏକ ବୟାନରେ କହିଥିଲେ ଯେ, କେନ୍ଦ୍ରୀୟ ପୁଲିସ ବଳର ୧୨ଟି କମ୍ପାନୀକୁ ପଶ୍ଚିମବଙ୍ଗ ପଠାଯିବ। ଆୟୋଗ କହିଥିଲେ ଯେ, ସମସ୍ତ ରାଜ୍ୟ ଅଥବା କେନ୍ଦ୍ର ଶାସିତ ରାଜ୍ୟରେ ନିର୍ବାଚନ ଲାଗି କେନ୍ଦ୍ରୀୟ ପୁଲିସକୁ ମୁତୟନ କରାଯିବ।