ରାଜ୍ୟରେ ତମାଖୁ ସେବନ ନିୟମକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ତମାଖୁ ନିଷେଧ ନିୟମ ଗୁଡିକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ରାଜ୍ୟସ୍ତରୀୟ ତମାଖୁ ନିୟନ୍ତ୍ରଣ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପୂଣ୍ଣ ର୍ମାତ୍ରାରେ ସହଯୋଗ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ତମାଖୁ ନିୟନ୍ତ୍ରଣ ନିୟମର କ୍ଷେତ୍ରସ୍ତରୀୟ କାର୍ୟ୍ୟାନ୍ୱୟନ ପରିଚାଳନା ପାଇଁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୱାର୍କିଂ ଗ୍ର୍ରୁପ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଏହି ଗ୍ର୍ରୁପ୍ ନିୟମିତ ଭାବେ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରି ତଦନୁଯାୟୀ ପଦକ୍ଷେପ ନେବେ ।

ଶିକ୍ଷାନୁଷ୍ଠାନ ଗୁଡିକର ୧୦୦ ଗଜ ପରିସୀମା ମଧ୍ୟରେ ତମାଖୁ ବିକ୍ରିକୁ ସଂପୂର୍ଣ୍ଣ ଭାବେ ନିଷେଧ କରିବା, ସମସ୍ତ ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ ଅଂଚଳ କରିବା, ତମାଖୁ ଏବଂ ଅଣ-ତମାଖୁ ବିକ୍ରି କରୁଥିବା ଦୋକାନୀମାନଙ୍କୁ ପରସ୍ପରଠାରୁ ଅଲଗା କରି ଲାଇସେନ୍ସ ଦେବା, ପର୍ୟ୍ୟଟନ ସ୍ଥଳ ଏବଂ ଓଡ଼ିଶାର ମୁଖ୍ୟ ଦେବ ସ୍ଥଳଗୁଡିକୁ ତମାଖୁ ମୁକ୍ତ ଅଂଚଳ କରିବା ଆଦି ଉପରେ ଗୁରୁତ୍ୱାରୋପ କରି ଏ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ଼ା ପ୍ରମୋଦ କୁମାର ମେହେର୍ଦ୍ଧା ରାଜ୍ୟରେ ତମାଖୁ ନିୟନ୍ତ୍ରଣ ସମ୍ବଦ୍ଧିତ ନିୟମ, ପ୍ରଶାସନିକ ବ୍ୟବସ୍ଥା ଏବଂ କାର୍ୟ୍ୟାନ୍ୱୟନ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଓଡ଼ିଶାରେ ଧୁମ୍ରପାନ ଅପେକ୍ଷା ଅଣ ଧୂମ୍ର ତମାଖୁର ବ୍ୟବହାର ଅଧିକ ଏବଂ ଏହି ପ୍ରକାରେ ତମାଖୁ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୮୮% ଦୈନିକ ଭାବେ ଏହା ସେବନ କରନ୍ତି । ଏହାର ନିୟନ୍ତ୍ରଣ ପାଇଁ ବୈଠକରେ ରାଜ୍ୟରୁ ଗ୍ରାମସ୍ତର ପର୍ୟ୍ୟନ୍ତ ଏକ ବହୁମୁଖି ସମନ୍ୱିତ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

ପୋଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ବି.ଏମ୍.ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭିନ୍ନ ବିଭାଗ ଓ ସଂପୃକ୍ତ ସଂସ୍ଥା ମାନଙ୍କର ବରିଷ୍ଠ ଅଧିକାରୀମାନେ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।