ଲଘୁଚାପ ବର୍ଷାରେ ଦକ୍ଷିଣ ଓଡିଶାରେ ସମ୍ଭାବ୍ୟ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ବିଶେଷ କରି ଆନ୍ଧ୍ର ଉପକୂଳ, ଓଡ଼ିଶା ଏବଂ ଛତିଶଗଡ଼ ଅଞ୍ଚଳରେ ଲଘୁଚାପ ଯୋଗୁଁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଦକ୍ଷିଣ ଓଡିଶାରେ ଯେପରି ବନ୍ୟା ଆଶଙ୍କା କରି ବିଭିନ୍ନ ଜିଲ୍ଲା ଗୁଡିକରେ ଥିବା ଜଳଭଣ୍ଡାର ଗୁଡିକରେ ଜଳପତ୍ତନକୁ ନିୟନ୍ତ୍ରଣ ରଖିବା ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ କାର୍ଯ୍ୟାଳୟଠାରେ ଗତକାଲି ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଅପର ଇନ୍ଦ୍ରାବତୀ, କୋରାପୁଟ ଜିଲ୍ଲାର ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଗୁଡିକରେ ଜଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଜ୍ଞତା ସମ୍ପନ୍ନ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେହିସବୁ ଅଞ୍ଚଳକୁ ପଠାଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଜଳସମ୍ପଦ ବିଭାଗର କଣ୍ଟ୍ରୋଲ ରୁମ ୨୪ ଘଣ୍ଟିଆ ଖୋଲାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଅପର ଇନ୍ଦ୍ରାବତୀ ଜଲଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଏବେ ଏଥିରେ ୬୩୭.୨ମିଟର ରହିଛି। ସେହିପରି ଅପର କୋଲାବର କ୍ଷମତା ୮୫୮ ମିଟର ଥିବାବେଳେ ଏବେ ୮୫୦ ମିଟର ରହିଛି। ସେହିପରି ବାଲିମେଳା ଜଳ ଭଣ୍ଡାରର କ୍ଷମତା ୧୫୧୬ ଫୁଟ ଥିବାବେଳେ ଏବେ ଏହାର ଜଳପତ୍ତନ ୧୪୯୭.୬ ଫୁଟ ରହିଛି। ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗୀୟ ଅନ୍ୟ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।