ହୋଲିରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସନ୍ଧ୍ୟା ’ବୃନ୍ଦାବନ ମହୋତ୍ସବ’ ପାଇଁ ବୈଠକ

ଭୁବନେଶ୍ଵର,ଏନ୍ଏନ୍ଏସ୍: ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହିନ୍ଦୁସ୍ତା ନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭା ମାନଙ୍କୁ କଳା ପ୍ରେମୀମାନେ ଏକାଠି ପାଇପାରିବେ ବୋଲି ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଶ୍ଚିତ ଡ. ହରି ପ୍ରସାଦ ଚୌରାସିଆ ଆଜି ପୂର୍ବାହ୍ନରେ ଘାଟିକିଆ ବୃନ୍ଦାବନ ଗୁରୁକୁଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏହି ମହୋତ୍ସବ କଳାଅନୁରାଗୀ ଓ କଳାର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବା ସହିତ ଅନୁପ୍ରାଣିତ କରିବ ବୋଲି ଡ. ଚୌରାସିଆ ଆଶାବ୍ୟକ୍ତ କରିଛନ୍ତି। ଶାସ୍ତ୍ରୀୟ ସଙ୍ଗୀତର ବହୁଳ ପ୍ରଚାର ପ୍ରସାର ପାଇଁ ଏଭଳି ଉତ୍ସବର ଆୟୋଜନ କରାଯାଉଛି ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର ପ୍ରକାଶ କରିବା ସହିତ ମହୋତ୍ସବର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ପଦ୍ମ ବିଭୂଷଣ ପଣ୍ଡିତ ଡ. ଚୌରାସିଆଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଭୂଷଣ ବେଗମ ପରବିନ ସୁଲତାନା, ଖ୍ୟାତନାମା ତବଲା ବାଦକ ପଣ୍ଡିତ ଅଭିଜିତ ବା ନାର୍ଜୀ, ବିଶିଷ୍ଟ ସିତାରବାଦକ ପଣ୍ଡିତ ଶୁଭେନ୍ଦ୍ର ରାଓ, ହାରମୋନିୟମବାଦକ ପଣ୍ଡିତ ଜ୍ୟୋତି ଗୋହୋ, ସେଲୋ ବା ଦିକା ବିଦୁଷୀ ସାସକିଆ ରାଓ ଦେ ହାସ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ।

କାର୍ଯ୍ୟକ୍ରମ ସନ୍ଧ୍ୟା ୬.୧୫ରେ ଆରମ୍ଭ ହେବ। ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଭାବେ ଗୁରୁକୁଳର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ବଂଶୀବାଦନ କରି ଉଦଘାଟନ କରିବେ। ତାପରେ ଯୁଗଳବନ୍ଦୀ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଡ. ଚୌରାସିଆଙ୍କ ଧର୍ମପତ୍ନୀ ତଥା ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟି ଶ୍ରୀମତୀ ଅନୁରାଧା ଚୌରାସିଆ, ଗୁରୁକୁଳର ସମ୍ପାଦକ ଦିଗବିଜୟ ସିଂହ ଚୌହାନ ଓ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।