ଓଡ଼ିଶା ବିଧାନସଭାର ଡାଏରୀ ଓ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭାର ସଭ୍ୟ, ସରକାରୀ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ବିଧାନସଭାର ଡାଏରୀ ଏବଂ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ଏକ ବୈଠକ ଆଜି ବାଚସ୍ପତିଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସୁଦୃଶ୍ୟ ଡାଏରୀ ଏବଂ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରୀ ପ୍ରେସ ଆନୁକୂଲ୍ୟରେ ମୁଦ୍ରିତ ହେବାକୁଥିବା ବିଧାନସଭା କ୍ୟାଲେଣ୍ଡରରେ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଫଟୋ ଚିତ୍ର ସ୍ଥାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିଭଳି ବିଧାନସଭା ଡାଏରୀରେ ବିଧାନସଭା ସମ୍ପର୍କିତ ଅନେକ ତଥ୍ୟ ସହ ବିଭିନ୍ନ ଆବଶ୍ୟକୀୟ ସରକାରୀ ତଥ୍ୟ ଉପଲବ୍ଧ ରହିବ। ନଭେମ୍ବର ମାସ ଶେଷ ସୁଦ୍ଧା ଏହି କ୍ୟାଲେଣ୍ଡର ଏବଂ ଡାଏରୀ ସରକାରୀ ପ୍ରେସ୍ ଦ୍ୱାରା ମୁଦ୍ରିତ ହୋଇ ବିଧାନସଭାକୁ ପ୍ରେରଣ କରାଯିବ। ବିଧାନସଭା କର୍ତ୍ତୃପକ୍ଷ ପାର୍ଲାମେଣ୍ଟ, ସମସ୍ତ ରାଜ୍ୟ ବିଧାନସଭା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଏହା ପ୍ରରଣ କରିବେ। ଉକ୍ତ ବୈଠକରେ ବାଣିଜ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଧନ ପାଢୀ, ଓଡ଼ିଶା ସରକାରୀ ପ୍ରେସ୍ ନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।