ପ୍ରଧାନମନ୍ତ୍ରୀ ନିବାସରେ ବଡ଼ ବୈଠକ : ଗୃହ, ପ୍ରତିରକ୍ଷା ଓ କୃଷି ମନ୍ତ୍ରୀ ସାମିଲ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ଓ ସରକାରଙ୍କ ମଧ୍ୟରେ ଆଜି ପଞ୍ଚମଥର ପାଇଁ ଦ୍ୱିପ୍ରହର ୨ଟାରେ ବୈଠକ ଅନୁଷ୍ଠିତ ହେବ। ଇତିମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ନିବାସରେ ଏକ ମହାମନ୍ଥନ ଜାରି ରହିଛି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ପିୟୁଷ ଗୋୟେଲ ସାମିଲ ଅଛନ୍ତି। ବୈଠକକୁ ଯିବା ପୂର୍ବରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ‘ମୁଁ ଆଶା କରୁଛି କି କୃଷକ ସକାରାତ୍ମକ ରୂପରେ ଚିନ୍ତା କରି ଆନ୍ଦୋଳନକୁ ଶେଷ କରିବେ।’

ସୂଚନାଯୋଗ୍ୟ, ସିଂଘୁ ବୋର୍ଡରରେ ଆଜି କୃଷକଙ୍କର ହୋଇଥିବା ବୈଠକରେ କୃଷକ ସଂଗଠନ ମଧ୍ୟ କିଛି ବଡ଼ ନିଷ୍ପତ୍ତି ନେଇଛିି। ସେମାନଙ୍କ କହିବାନୁସାରେ, ଯଦି ସରକାର ତାଙ୍କ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ସହ ପ୍ରଧାମନ୍ତ୍ରୀ ଓ ଅନ୍ୟ ଉଦ୍ୟୋଗପତିଙ୍କ ପୁତୁଳା ଜଳାଯିବ।