ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧାର ଏକ କ୍ଲିନିକରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼ ଘଟଣାରେ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁଙ୍କର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଗୁଳିମାଡ଼ରେ ଆହତ ଡାକ୍ତର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଗତକାଲି ଶିଶୁ ରୋଗ ବିଶେଷଜ୍ଞ ଡ.ମାନସ ଦାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ନିଜ କ୍ଲିନିକ୍କୁ ତାଙ୍କ ସ୍ତ୍ରୀଙ୍କ ସହ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଡ. ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ କ୍ୟାପ୍ ପିନ୍ଧି ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକରେ ପ୍ରବେଶ କରିଥିଲା।
ଦୁର୍ବୃତ୍ତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ଡାକ୍ତରଙ୍କ ବାମପଟ ଛାତିରେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳିପେଟରେ ବାଜିଥିଲା।
ଗୁଳି ଶବ୍ଦ ଓ ଲୋକଙ୍କ ପାଟି ଶୁଣି ତଳେ କୋଠାରେ ଥିବା ଏକ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁ ଡାକ୍ତରଙ୍କ ପାଖକୁ ଦୌଡ଼ି ଆସିଥିଲେ। ଦୁର୍ବୃତ୍ତକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଗୁଳିଟି କୃଷ୍ଣଚନ୍ଦ୍ରଙ୍କ ଡାହଣ ପଟ ତଳିପେଟରେ ବାଜିଥିଲା। ଏହାପରେ ଦୁର୍ବୃତ୍ତ ଜଣକ ସେଠାରୁ ଚାଲିଯାଇଥିଲା। ଆଖପାଖର ଲୋକ ଓ ସେଠାରେ ଅପେକ୍ଷା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଦାସ ଓ କୃଷ୍ଣଚନ୍ଦ୍ରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୁଙ୍କର ମୃତ୍ୟୁ ହୋଇଛି।