ଟେଣ୍ଡରରେ ଅଟକିଛି ଔଷଧ ପରୀକ୍ଷାଗାର

ଆଠମାସ ପୂର୍ବରୁ ହେଲାଣି ଶିଳାନ୍ୟାସ

ସମ୍ବଲପୁର,ଏନ୍ଏନ୍ଏସ୍: ଟେଣ୍ଡରରେ ଅଟକିଛି ସମ୍ବଲପୁର ଔଷଧ ପରୀକ୍ଷାଗାର ନିର୍ମାଣ କାର୍ଯ୍ୟ। ଔଷଧର ଗୁଣମାନ ରକ୍ଷା ଏବଂ ନକଲି ଔଷଧ କାରବାର ରୋକିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ପରେ ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ଔଷଧ ପରୀକ୍ଷାଗାର ସ୍ଥାପନ ପାଇଁ ରାଜ୍ୟ ସରକାର ୨୦୧୭ରୁ ନିଷ୍ପତ୍ତି ନେଇଥିଲେ। ସମ୍ବଲପୁରରେ ଏହି ପରୀକ୍ଷାଗାର ସ୍ଥାପନ ସକାଶେ ଚଳିତ ବର୍ଷ ଫେବୃଆରୀ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହାକୁ ଏବେ ୮ ମାସ ଅତିକ୍ରାନ୍ତ ହେବାପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ।

ଫଳରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସଂଗ୍ରହ କରାଯାଉଥିବା ନମୁନା ପରୀକ୍ଷା ପୂର୍ବଭଳି ବିଳମ୍ବ ହେଉଛି। ଏଣେ ସମ୍ବଲପୁର ସମେତ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅପମିଶ୍ରିତ ନିଶା ଔଷଧ ବିକ୍ରି ବୃଦ୍ଧି ପାଉଥିବାବେଳେ ଏ ନେଇ ପୁଲିସ ଦ୍ୱାରା ରୁଜୁୁ ମାମଲାଗୁଡ଼ିକର ତ୍ୱରିତ ତଦନ୍ତରେ ବାଧା ଉପୁଜୁଛି। ଏହା ସହିତ ଏହି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେଲେ ପ୍ରାୟ ୨ଶହ ନିଯୁକ୍ତି ମଧ୍ୟ ବିଳମ୍ବିତ ହେଉଛି।

ପ୍ରକାଶ ଯେ, ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଭୁବନେଶ୍ୱରରେ ଗୋଟିଏମାତ୍ର ପରୀକ୍ଷାଗାର ରହିଛି। ସେଠାରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ସୁବିଧା ନଥିବାରୁ ରାଜ୍ୟ ବାହାରେ ଥିବା ପରୀକ୍ଷାଗାରକୁ ନମୁନା ପଠାଯାଉଛି। ଏଣେ ରାଜ୍ୟର ସବୁ ଜିଲ୍ଲାରୁ ପ୍ରତିମାସ ଆସୁଥିବା ଶତାଧିକ ବିଭିନ୍ନ ଆଣ୍ଟିବାୟୋଟିକ୍, ଅନ୍ୟାନ୍ୟ ଔଷଧ, ସିରପ୍, କସ୍ମେଟିକ୍ସ କ୍ରିମ୍ ଇତ୍ୟାଦିର ନମୁନା ପରୀକ୍ଷା ପାଇଁ ଦୁଇମାସରୁ ଅଧିକ ସମୟ ଲାଗିଯାଉଛି।

ସେଥିସକାଶେ ରାଜ୍ୟର ସମ୍ବଲପୁର ଓ ବ୍ରହ୍ମପୁରଠାରେ ଆଧୁନିକ ଯନ୍ତ୍ରପାତି ସହ ଗୋଟିଏ ଲେଖାଁଏ ଔଷଧ ପରୀକ୍ଷାଗାର ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେଥିସକାଶେ ସମ୍ବଲପୁର-ଜମାଦାରପାଲି ରାସ୍ତାର ସିଂହପାଲିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧ଏକର ଜମି ଯୋଗାଇ ଦିଆଯାଇଛି।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମୋଟ ୧୧ କୋଟି ଟଙ୍କା ଅଟ୍ଟକଳ କରାଯାଇଥିବା ବେଳେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୮କୋଟି ୩୩ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଆବଶ୍ୟକ ଜମି ଓ ଅର୍ଥ ବ୍ୟବସ୍ଥା ସତ୍ତେ୍ୱ ଅଦ୍ୟାବଧି ପରୀକ୍ଷାଗାର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ନେଇ ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ସମୀର ମଲ୍ଲିକଙ୍କୁ ପଚାରିବାରୁ ପରୀକ୍ଷାଗାର କୋଠା ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ ଏବଂ ଇତିମଧ୍ୟରେ ଏହାର ଟେଣ୍ଡର ହୋଇସାରିଥିବା ବେଳେ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।