ଶିକ୍ଷା ପରେ ଫୋକସରେ ସ୍ୱାସ୍ଥ୍ୟ, କ୍ୟାପିଟାଲ ହସ୍ପିଟାଲରରେ ଆରମ୍ଭ ହେବ ଡାକ୍ତରୀ ପାଠପଢା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀରେ ନିର୍ମାଣ ହେବ ମଡେଲ ହସ୍ପିଟାଲ। କ୍ୟାପିଟାଲ ହସ୍ପିଟାଲକୁ ନବକଳେବର କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆଗାମୀ ବର୍ଷ ଠାରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା। ନାମ ପରିବର୍ତ୍ତନ ସହ ବଦଳିବ ଭିତ୍ତିଭୂମୀ। ପିଜି, କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ସହ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏବେ ଧିରେ ଧିରେ ବ୍ୟବସ୍ଥାରେ ପରିବର୍ତ୍ତନ ଆସି ଥିବାବେଳେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ହେବ। ତେବେ ମଇ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ପରିଦର୍ଶନ ପରେ ପିଜି ପାଠପଢା ପାଇଁ ଅନୁମୋଦନ ଅପେକ୍ଷାରେ ହସ୍ପିଟାଲ କର୍ତ୍ତୃପକ୍ଷ।

ଦୁଇ ବର୍ଷ ଭିତରେ ଆରମ୍ଭ ହେବ ପିଜି ପାଠପଢା। ୭ ରୁ ୮ ବର୍ଷ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଏମ୍‌ବିବିଏସ୍ ପଢିବେ ଛାତ୍ରଛାତ୍ରୀ। ଏବେ ଏହି ହସ୍ପିଟାଲକୁ ମଡେଲ ଭାବରେ ନିର୍ମାଣ କରିବା ସହ କ୍ୟାପିଟାଲ ହସ୍ପପିଟାଲ ପରିବର୍ତ୍ତନ ହୋଇ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ପରିବର୍ତ୍ତିନ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୫ଟି ବିଷୟରେ ୬୦ ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢିବେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସରି ଥିବାବେଳେ ଚଳିତ ମାସ ଶେଷ କିମ୍ବା ଜୁନ ମାସ ପ୍ରଥମ ସପ୍ତାହରେ ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ଅନୁଧ୍ୟାନ କରିବା ପାଇଁ ଆସିବ।

ଟିମ୍‌ର ଅନୁମୋଦନ ମିଳିବା ପରେ ପିଜି ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଉନ୍ନତ ସେବା ପାଇଁ ହସ୍ପିଟାଲକୁ ସମ୍ପ୍ରସାରଣ କରାଯିବ। କ୍ୟାମ୍ପସରେ ଥିବା ସମସ୍ତ ସରକାରୀ କ୍ବାର୍ଟର ଏବଂ ବସ୍ତିକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଛେଦ ସ୍ଥାନରେ ଜି-ପ୍ଳସ ୭ ଏବଂ ଜି-ପ୍ଳସ ୮ ଅଟ୍ଟାଳିକା ନିର୍ମାଣ ହେବ। କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟର ରୋଗୀଙ୍କୁ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ।

ସୂଚନା ଅନୁଯାୟୀ, ଗତ ବର୍ଷେ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଅନେକ ସଂସ୍କାର ଆସିଛି। ଅଭିଜ୍ଞ ଡାକ୍ତର ସହ ଅତ୍ୟାଧୁନିକ ଯନ୍ତ୍ରପାତିରେ ସବୁ ପ୍ରକାର ଟେଷ୍ଟିଂ ହେଉଛି। ବ୍ୟାପକ ପାର୍କିଂ ସ୍ଥଳ ସହ ରୋଗୀଙ୍କୁ ସହାୟତା କରିବା ପାଇଁ ସ୍ବତନ୍ତ୍ର କାଉଣ୍ଟର ନିର୍ମାଣ ହୋଇଛି। ଆଜି(ଶୁକ୍ରବାର) ଠାରୁ ପିଜି ପାଠ୍ୟ କ୍ରମ ପାଇଁ ଯେଉଁ ବିଲ୍ଡିଂ କରାଯିବ ସେହି ସ୍ଥାନରୁ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଛି।