ଆବେଦନ କଲେ ଚାକିରି ପାଇଁ, ଘରକୁ ଆସିଲା ବାହାଘର ପାଇଁ ପ୍ରସ୍ତାବ

ଦେବଗଡ଼,ଏନ୍ଏନ୍ଏସ୍: ନିଜକୁ ଗୋରଖନାଥ ପ୍ଲେସମେଣ୍ଟ ସର୍ଭିସର ଏମଡି ପରିଚୟ ଦେଇ ଜଣେ ଚାକିରି ଆଶାୟୀ ଯୁବତୀଙ୍କୁ ବିବାହ କରିବା ପାଇଁ ଜିଦ କରି ଯୁବତୀଙ୍କ ଘରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ହେଲେ। ପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଠକ ଏମ୍‌ଡିକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ସହରର ବିଭିନ୍ନ ସ୍ଥାନରେ ଗୋରଖନାଥ ପ୍ଲେସମେଣ୍ଟ ସର୍ଭିସ ପକ୍ଷରୁ ପୋଷ୍ଟର ଲଗାଯାଇ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ପୋଷ୍ଟରରେ ଉଲ୍ଲେଖିତ ମୋବାଇଲ ଫୋନ ନମ୍ବରରେ ନିଜ ବାୟୋଡାଟା ମଗାଯାଇଥିଲା। ଏହା ଦେଖି ଦେବଗଡ଼ ଥାନା ଆନ୍ତର୍ଗତ ସାମରଖାଇ ଗ୍ରାମର ରଞ୍ଜିତା ମହାକୁଡ଼ ନାମୀ ଜଣେ ଯୁବତୀ ୩ ଦିନ ପୂର୍ବେ ଉକ୍ତ ମୋବାଇଲ ଫୋନରେ ନିଜ ବାୟୋଡାଟା ପଠାଇଥିଲେ।

ତେବେ ଉକ୍ତ ସଂସ୍ଥାର ଏମଡି ପରିଚୟ ଦେଉଥିବା କଟକ ଜିଲ୍ଲା କନ୍ଦରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣବାଡି ଗାଁ’ର ଗୁରୁଚରଣ ବେଉରାଙ୍କ ପୁଅ ଦୁଷ୍ମନ୍ତ ବେଉରା ଗତକାଲି ସମରଖାଇ ଗାଁ’ରେ ପହଞ୍ଚି ଯୁବତୀଙ୍କୁ ଫୋନରେ ସେ ଆସି ପହଞ୍ଚିଥିବା କହିବା ସହ ତାଙ୍କ ଘରକୁ ପହଞ୍ଚିଥିଲା। ଯୁବତୀଙ୍କ ଘରେ ଆତିଥ୍ୟତା ପରେ ଚାକିରି ସମ୍ପର୍କରେ ପଚାରିବାରୁ ସେ ଚାକିରି ପ୍ରସଙ୍ଗ ଏଡାଇଯାଇ ଯୁବତୀଙ୍କୁ ବିବାହ ପାଇଁ ଜିଦ ଧରିଥିଲା। ଏମଡିଙ୍କ ଏତାଦୃଶ ଆଚରଣ ଦେଖି ପରିବାର ଲୋକେ ଗ୍ରାମବାସୀଙ୍କୁ ସୂଚନା ଦେବାରୁ ଗତକାଲି ରାତିରେ ଶତାଧିକ ଗ୍ରାମବାସୀ ଉକ୍ତ ଯୁବତୀଙ୍କ ଘରକୁ ପହଞ୍ଚି ଏମଡି ବୋଲାଉଥିବା ଦୁଷ୍ମନ୍ତଙ୍କୁ ପଚରାଉଚରା କରିଥିଲେ।

ଅଭିଯୁକ୍ତ ଦୁଷ୍ମନ୍ତଙ୍କ କଥା ବାର୍ତ୍ତା ସନ୍ଦେହ ଜନକ ଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକେ ଦେବଗଡ଼ ଥାନା ପୁଲିସ କୁ ସୂଚନା ଦେଇଥିଲେ। ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଷ୍ମନ୍ତକୁ ନିଜ ହେପାଜତରେ ଥାନାକୁ ଆଣି ପଚରାଉଚରା ପରେ ସେ ଜଣେ ଠକ ଥିବା ଜାଣି ଆଜି ଦୁଷ୍ମନ୍ତ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ।