ଛେଳିପାଇଁ ୨.୬୮ କୋଟି କ୍ଷତି ସହିଲା ଏମସିଏଲ୍‍

ସମ୍ବଲପୁର,ଏନ୍‍ଏନ୍‍ଏସ୍‍: ଛେଳିର ମୂଲ୍ୟ ୨ ଲକ୍ଷ ୬୮ କୋଟି ଟଙ୍କା! ମହାନଦୀ କୋଇଲା କମ୍ପାନୀ (ଏମସିଏଲ୍‍) ତାଳଚେର ଜଗନ୍ନାଥ କ୍ଷେତ୍ରରେ କୋଇଲା ପରିବହନ କରୁଥିବା ଟିପ୍ପର ଚାପାରେ ଏକ ଛେଳିର ମୃତ୍ୟୁକୁ ନେଇ ଏମସିଏଲ୍‍ ଉପରୋକ୍ତ ମୂଲ୍ୟର କ୍ଷତି ସହିବାକୁ ପଡ଼ିଛି।

ଘଟଣା ନେଇ ଏମସିଏଲ୍‍ ପକ୍ଷରୁ ପ୍ରଦତ୍ତ ପ୍ରେସ୍‍ ବିବୃତିରେ ପ୍ରକାଶ ଯେ, ସୋମବାର କୋଇଲା ଖଣିରେ କୋଇଲା ପରିବହନ କରାଯାଉଥିବା ବେଳେ ଛେଳିପଲ ସେଠାକୁ ଆସି ଯାଇଥିଲେ ଓ କୋଇଲା ବୋଝେଇ ଟିପ୍ପର ଚାପାରେ ଏକ ଛେଳିର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚଟିଆହଣ୍ଟି ଗାଁର ଲୋକେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଜଗନ୍ନାଥ କ୍ଷେତ୍ର ସାଇଡିଂ ନମ୍ବର ୧ ଓ ୨ରେ କୋଇଲା ପରିବହନକୁ ଜୋରଜବରଦସ୍ତି ବନ୍ଦ କରି ମୃତ ଛେଳି ବାବଦ ୬୦ ହଜାର ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଖଣି କାର୍ଯ୍ୟରେ ଏଭଳି ବେଆଇନ ଅବରୋଧ ନେଇ କମ୍ପାନୀ ପକ୍ଷରୁ ପୁଲିସରେ ଏତଲା ଦିଆଯାଇ ଏଭଳି ବେଆଇନ ଅବରୋଧ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିଲା।

ଅପରପକ୍ଷେ ସାଢ଼େ ୩ ଘଣ୍ଟା ଧରି କୋଇଲା ପରିବହନ କାର୍ଯ୍ୟ ବନ୍ଦ ଏବଂ ରେଳ ଯୋଗେ କୋଇଲା ଯୋଗାଣ ହୋଇ ନପାରିବାରୁ ଏମସିଏଲକୁ ୧ କୋଟି ୪୦ ଲକ୍ଷ ଓ ୧ କୋଟି ୨୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଥିସହ ସରକାରଙ୍କର ୪୬ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହୋଇଥିବା ବିବୃତିରେ ଦର୍ଶାଯାଇଛି।