କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ୍ୟକ୍ରମର ଶୁଭାରମ୍ଭ

କୋରାପୁଟ,ଏନ୍ଏନ୍ଏସ୍: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମବିଏ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଶୁଭାରମ୍ଭ ହୋଇଛି। କୁଳପତି ପ୍ରଫେସର ଆଇ. ରାମାବ୍ରହ୍ମମଙ୍କ ସଭାପତିତ୍ୱରେ ସମ୍ବଲପୁରସ୍ଥିତ ଆଇଆଇଏମର ନିର୍ଦ୍ଦେଶକ ପ୍ରଫେସର ଏମ୍ ଜୈସୱାଲ ମୁଖ୍ୟ ଅତିଥି ଓ ହାଇଦ୍ରାବାଦସ୍ଥିତ ଆଇଆଇଟିର ପୂର୍ବତନ ନିର୍ଦ୍ଦେଶକ ରାମ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବ ବୋଲି କୁଳପତି ପ୍ରଫେସର ରାମାବ୍ରହ୍ମମ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀମାନଙ୍କ ପରିଚାଳନା ଦକ୍ଷତା ବୃଦ୍ଧି କରିବ। ଯାହା କି ବିଭିନ୍ନ ଅନୁଷ୍ଠାନର ଉପାର୍ଜନା କ୍ଷମତା ବୃଦ୍ଧି ଓ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପ୍ରଫେସର ଜୈସୱାଲ ମତବ୍ୟକ୍ତ କରିଥିଲେ।

ଏହି ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକର ଆଶା ଓ ଆକାଂକ୍ଷା ପୂର୍ଣ୍ଣ କରିବ ବୋଲି ପ୍ରଫେସର ମିଶ୍ର ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ହାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜେଏମ ସାହୁ, ଜିଏମ ଆଶୁତୋଷ ମଲ୍ଲିକ, ଜିଏମ ଏଚଆର ଏବି ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଥିବା

ପାଠ୍ୟକ୍ରମକୁ ଉତ୍ତମ ରୂପେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ନାଲକୋ, ଦାମନଯୋଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆରଏସ ଦାସ କାର୍ଯ୍ୟକ୍ରମରେ ନୂଆ କରି ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। କୁଳସଚିବ ପ୍ରଫେସର ଅସିତ କୁମାର ଦାସ, ପ୍ରଫେସର ଶରତ କୁମାର ପଳିତା, ପରୀକ୍ଷା ନିୟନ୍ତ୍ରକ ଡ. ଜୟନ୍ତ କୁମାର ନାୟକ, ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।