ଆସନ୍ତାକାଲି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଓ ଓପନ୍ ସ୍କୁଲ ସପ୍ଲ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏଥର ୨୨,୬୪୯ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ୧୨,୯୩୯ ଛାତ୍ରଛାତ୍ରୀ ଓପନ୍ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଏହିପରି ମୋଟ ୨୪୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୫,୫୮୮ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପରୀକ୍ଷା ବେଳେ କୋଭିଡ୍ ଗାଇଡ୍ ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର ଓ ୧୩ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ସ୍କୁଲ ସପ୍ଲିମେଣ୍ଟାରୀ ପାଇଁ ୮୮ ଟି ପରୀକ୍ଷା କେନ୍ଦ୍ର ଓ ୭ ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲାପାଳମାନେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥା କରିବାକୁ ପୁଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପ୍ରତ୍ୟେକ ଦିନ ପରୀକ୍ଷା ପରେ ପରୀକ୍ଷାକେନ୍ଦ୍ରରେ ସାନିଟାଇଜ୍ କରାଯାଇଛି କି ନାହିଁ ତଦାରଖ କରବାକୁ କୁହାଯାଇଛି।