କଟକ,ଏନ୍ଏନ୍ଏସ୍: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସୋମବାର ସାମାଜିକ ବିଜ୍ଞାନରେ ୧୫୦ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୧୪୯ ଜଣ ରେଗୁଲାର ମାଟ୍ରିକ ପରୀକ୍ଷାର୍ଥୀ ଓ ଜଣେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଅନ୍ତର୍ଭୁକ୍ତ। ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅସାଧୁ ଉପାୟ ଅବଲମ୍ବନ କରି ୯୪୭ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି।
ମାଟ୍ରିକ ପରୀକ୍ଷା ପ୍ରଥମ ଦିନ ମାତୃଭାଷାରେ ରେଗୁଲାର ୪୪ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୨୪ଜଣ ଓ ମଧ୍ୟମା ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିଲେ। ସେହିଭଳି ଦ୍ୱିତୀୟ ଦିନ ଦ୍ୱିତୀୟ ଭାଷା ଇଂରାଜୀରେ ରେଗୁଲାର ୧୦୯ ପରୀକ୍ଷାର୍ଥୀ, ମଧ୍ୟମାର ଜଣେ ପରୀକ୍ଷାର୍ଥୀ କପି କରି ମାଲପ୍ରାକ୍ଟିସରେ ବୁକ୍ ହୋଇଥିଲେ। ତୃତୀୟ ଦିନ ତୃତୀୟ ଭାଷା ହିନ୍ଦୀ, ସଂସ୍କୃତରେ ରେଗୁଲାର ୧୦୮, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୦, ଚତୁର୍ଥ ଦିନ ଗଣିତ ପରୀକ୍ଷାରେ ରେଗୁଲାର ୧୮୮ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୫୨, ମଧ୍ୟମାର ୩ଜଣ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ୱାଡ୍ ଦ୍ୱାରା ଧରାପଡ଼ିଥିଲେ।
ପୁନଶ୍ଚ ପଞ୍ଚମ ଦିନ ମାଟ୍ରିକ ପରୀକ୍ଷାରେ ମୋଟ ୨୫୭ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସରେ ବୁକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ରେଗୁଲାରର ସାଧାରଣ ବିଜ୍ଞାନରେ ୨୩୧, ରାଜ୍ୟ ମୁକ୍ତ ବିଦ୍ୟାଳୟର ସାମାଜିକ ବିଜ୍ଞାନରେ ୨୬ ଓ ଅନ୍ତର୍ଭୁକ୍ତ। ତେବେ ଧରାପଡ଼ିଥିବା ମୋଟ ୯୪୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ୮୩୮ ଜଣ ରହିଥିବାବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୧୩ ଓ ମଧ୍ୟମାର ୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି।
ଆସନ୍ତା ୧୮ ତାରିଖରୁ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୨୦ ଦିନ ଧରି ମାଟ୍ରିକ ଖାତା ମୂଲ୍ୟାୟନ ହେବ। ଏଥିରେ ୧୫ ଶହ ଅଭିଜ୍ଞ ଶିକ୍ଷକ-ଶକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯିବ। ପ୍ରଥମ ଥର ନିମନ୍ତେ ପ୍ରତିଟି ବିଷୟର ପ୍ରତିଟି ପ୍ରଶ୍ନକୁ ଦେଖିବା ପାଇଁ ଜଣେ ଲେଖାଏ ଶିକ୍ଷକ ମୂଲ୍ୟାୟନ କରିବେ। ଅର୍ଥାତ ଜଣେ ଶିକ୍ଷକ ଗୋଟିଏ ବିଷୟର ପରୀକ୍ଷା ଖାତା ଦେଖିବା ବଦଳରେ କେବଳ ସେହି ବିଷୟର ନିର୍ଦ୍ଦିଷ୍ଟ ଗୋଟିଏ ପ୍ରଶ୍ନର ମୂଲ୍ୟାୟନ କରିବେ। ନିର୍ଦ୍ଦିଷ୍ଟ ସମୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଗଲେ ମେ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।