ପଶ୍ଚିମ ବଙ୍ଗଳା ବିଜେପିରେ ଅଧିକ ଯୋଗଦାନ ପ୍ରକ୍ରିୟା ବନ୍ଦ: କୈଳାସ ବିଜୟବର୍ଗିୟ

କୋଲକାତା,ଏଜେନ୍ସି: ପଶ୍ଚିମ ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋର ଧରିଛି। ଟିଏମସିରୁ ବିଧାୟକମାନେ ବିଦାୟ ନେଇ ବିଜେପିରେ ସାମିଲ ହେଉଥିବା ବେଳେ ବିଜେପି ଅଙ୍କକଷା ଆରମ୍ଭ କରିଛି। ଏହି ଅବସରରେ ବିଜେପି ପଶ୍ଚିମ ବଙ୍ଗଳାର ୨୯୫ ବିଧାନସଭା ଆସନରୁ ୨୦୦ରୁ ଅଧିକ ଆସନ ହାସିଲ କରିବ ବୋଲି ଦାବି କରିଛି। ଏଥିସହିତ ବିଜେପି ଦାବି କରିଛି କି ବିରୋଧୀ ଦଳର ଅନେକ ନେତା ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି। ଏଥିରେ ଟିଏମସି ସହିତ ସିପିଏମ୍, ସିପିଆଇ ଓ କଂଗ୍ରେସର ବଡ଼ବଡ଼ ନେତା ସାମିଲ ଅଛନ୍ତି। ଏହି ମଧ୍ୟରେ ବିଜେପି ମହାସଚିବ କୈଳାସ ବିଜୟବର୍ଗିୟ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି କି ବିଜେପିରେ ଅଧିକ ଯୋଗଦାନ ବର୍ତ୍ତମାନ ଆମେ ବନ୍ଦ କରିବାକୁ ଯାଉଛୁ। ଏଥିସହିତ ଆମେ କିଛି ବଛା ବଛା ନେତାଙ୍କୁ ବିଜେପିରେ ସାମିଲ ହେବାକୁ ଅନୁମତି ଦେବୁ।

ଏଥିସହିତ ସେ ମମତାଙ୍କୁ ଟାର୍ଗେଟ କରି କହିଛନ୍ତି କି, ସମସ୍ତେ ଜାଣିଛନ୍ତି ଏଥର ପଶ୍ଚିମ ବଙ୍ଗଳାରେ ବିଜେପି ଜିତିବ, ତେଣୁ ସମସ୍ତେ ବିଜେପିରେ ସାମିଲ ହେବାକୁ ଇଚ୍ଛା କରୁଛନ୍ତି। ତେବେ ଶେଷରେ ପାର୍ଟିରେ କିଏ ସାମିଲ ହେବ ସେ ନିଷ୍ପତ୍ତି ପାର୍ଟିର ହେବ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି କି ଆମେ ତୃଣମୂଳ କଂଗ୍ରେସର ଇତିହାସ ଜାଣିଛୁ, ଏବଂ ଆମେ ତାଙ୍କର ପୂର୍ବଜ କିମ୍ବା ମାଫିଆ ରାଜ ସହିତ ଜଡ଼ିତ ଥିବା କୌଣସି ବି ନେତାଙ୍କୁ ବିଜେପିରେ ସାମିଲ ହେବାକୁ ଦେବୁନୁ। ଏଥିସହ ବର୍ତ୍ତମାନ ସରକାରରେ ଥିବା ନେତାଙ୍କୁ ଯାଞ୍ଚ କରିବା ପରେ ହିଁ ପାଟିରେ ସାମିଲ ହେବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି।