ଜେଏନୟୁ କ୍ୟାମ୍ପସରେ ହଙ୍ଗାମା: ଛାତ୍ରଛାତ୍ରୀଙ୍କୁ ପିଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦୀର୍ଘ ଦିନର ବିରତି ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)। ଆଜି ରାତିରେ ଅନେକ ମୁଖାପିନ୍ଧା ଦୁର୍ବୃତ୍ତ କଲେଜ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ଓ କ୍ୟାମ୍ପସ ମଧ୍ୟରେ ଥିବା ବିଭିନ୍ନ ରୁମ୍ ରେ ପ୍ରବେଶ କରି ମଧ୍ୟ ଭଙ୍ଗାରୁଜା କରିଥିଲେ। ଦୁର୍ବୃତ୍ତମାନଙ୍କ ପାଖରେ ବହୁ ମାରଣାସ୍ତ୍ର ଥିବା ଜଣାପଡିଛି।

ତେବେ ସେମାନଙ୍କ ଆକ୍ରମଣରେ ଛାତ୍ରଛାତ୍ରୀମାନେ ଆହତ ହୋଇଛନ୍ତି। ଏପରିକି ଜେଏନୟୁର ଜଣେ ପ୍ରଫେସର ଓ ଷ୍ଟୁଡେଣ୍ଟ ୟୁନିୟନ ସଭାପତି ଗୁରୁତର ଭାବେ ଆହତ ହୋଇଛନ୍ତି। ୧୫ଜଣ ଆହତଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତିବ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ୟୁନିଭରସିଟି କ୍ୟାମ୍ପସ୍ ସମସ୍ତ ଫାଟକକୁ ବନ୍ଦ କରିଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ନେଇ ଏବିଭିପିକୁ ଦାୟୀ କରିଛନ୍ତି। ତେବେ ଜେଏନୟୁ କ୍ୟାମ୍ପସକୁ ଶାନ୍ତ ରଖିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।