‘ଆମେରିକାରେ ସମ୍ପୂର୍ଣ୍ଣ ଟିକାକରଣ ପରେ ମାସ୍କ ପିନ୍ଧିବା ଅନାବଶ୍ୟକ’

ୱାଶିଂଟନ,ଏଜେନ୍ସି: ଆମେରିକାକୁ ମହାମାରୀ ଲଢେଇ ବିରୋଧରେ ମିଳିଛି ବଡ ସଫଳତା। ମହାମାରୀର ପୂର୍ବ ଅବସ୍ଥାକୁ ଗତି କରୁଛି ଦେଶ। ଆମେରିକାରେ ସମ୍ପୂର୍ଣ୍ଣ ଟିକାକରଣ ପରେ ଆଉ ଦରକାର ନାହିଁ ମାସ୍କ ପରିଧାନ। ବାଇଡେନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ନିଜ ସହକର୍ମୀଙ୍କ ସହିତ ବିନା ମାସ୍କରେ ପହଞ୍ଚିଥିଲେ। କରୋନା ମହାମାରୀ ବିରୋଧରେ ଦେଶକୁ ମିଳିଥିବା ସଫଳତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଥିଲେ।

ଏହାସହିତ ଯେଉଁ ନାଗରିକ ଟିକା ନେଇସାରିଛନ୍ତି ସେମାନେ ଘର ବାହାରେ କିମ୍ବା ଭିତରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି କହିଥିଲେ। ସମ୍ପୂର୍ଣ୍ଣ ଟିକା ନିଅ ନଚେତ ମାସ୍କ ପିନ୍ଧ ବୋଲି ବାଇଡେନ କହିଥିଲେ। ଦେଶରେ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ବସ, ବିମାନରେ ଯାତ୍ରା, ହସ୍ପିଟାଲ, ଧର୍ମାନୁଷ୍ଠାନଗୁଡିକରେ ଏବେ ମଧ୍ୟ ମାସ୍କ ପିନ୍ଧିବା କଟକଣାକୁ ବଳବତ୍ତର ରଖିଛନ୍ତି ସରକାର। ଏହାସହିତ ସମ୍ପୂର୍ଣ୍ଣ ଟିକାକରଣ ସରିଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ନାହିଁ ବୋଲି ମଧ୍ୟ କୁହାଯାଇଛି।

ଅନ୍ୟପଟେ ଦେଶରେ ଖୁବଶୀଘ୍ର କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଖୋଲିବାର ପଥ ପରିଷ୍କାର ହୋଇଛି। ଏହି ଦିନକୁ ଦେଶ କେବେଠୁ ଅପେକ୍ଷା କରିଥିଲା ବୋଲି ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ରସେଲ ୱଲେନସ୍କି କହିଛନ୍ତି। ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପରେ ଏହି ସୁଫଳ ମିଳିଛି ବୋଲି ଜଣାପଡିଛି। ଦେଶବାସୀ ପ୍ରଥମ ଡୋଜ ଟିକା ନେବା ପରେ ଏହାର ପ୍ରଭାବ ପରିଲକ୍ଷିତ କରିବା ପରେ ସମ୍ପୂର୍ଣ୍ଣ ଟିକା ନେଇଥିଲେ। ଆମେରିକାରେ ବର୍ତ୍ତମାନ କରୋନା ସଂକ୍ରମଣ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି।