୯ ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି କଠୋର ପଦକ୍ଷେପ ପରେ ଏବେ ସରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିବା ସହିତ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରିଛନ୍ତି। ୯ ତାରିଖ ଠାରୁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ଭାବେ ପାଳନ ହେବ। କେହି ମାସ୍କ ନପିନ୍ଧି ଘରୁ ବାହାରିପାରିବେ ନାହିଁ। ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୯ତାରିଖ ସକାଳ ୭ଟାରୁ ଏହି ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ। ଛିଙ୍କ ବା କାଶ ମାଧ୍ୟମରେ କୋଭିଡ୍ ଭାଇରସର ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କୋଭିଡ୍ ଭାଇରସକୁ ନେଇ ରହିଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪ର ପ୍ରାବଧାନ ଅନୁସାରେ ଯେକୌଣସି କାମ ପାଇଁ କେହି ଲୋକ ଘରୁ ବାହାରିବାବେଳେ ନିଜର ମୁହଁ ଓ ନାକକୁ ମାସ୍କରେ ଘୋଡ଼ାଇବା ଜରୁରି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜନସାଧାରଣ ନିଜ ମୁହଁ ଓ ନାକକୁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି କପଡ଼ାକୁ ଦୁଇଥାକିଆ କରି ମୁହଁରେ ବାନ୍ଧିବେ। ଜନଗହଳି ଯେଭଳି ନହେବ ତାହା ସୁନିଶ୍ଚିତ କରିବା ସହ ମୁହଁରେ ରୁମାଲ, ଗାମୁଛା, ଓଢ଼ଣୀ ଅବା ସ୍କ୍ରାଫ୍ ଭଳି କପଡ଼ାକୁ ଲୋକେ ଘରୁ ବାହାରିବାବେଳେ ମୁହଁ ଓ କାନକୁ ଯେପରି ଘୋଡ଼ାଇବେ, ସେଥିପ୍ରତି କଡ଼ାକଡ଼ି ଦୃଷ୍ଟିଦେବାକୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।