ରିଲିଜ ହେଲା ‘ମର୍ଦ୍ଦାନି ୨’ର ଟିଜର

ଭୁବନେଶ୍ୱର ,ଏନ୍ଏନ୍ଏସ୍ : ଅଭିନେତ୍ରୀ ରାଣୀ ମୁଖାର୍ଜୀ ଅଭିନୀତ ‘ମର୍ଦ୍ଦାନି ୨’ ଫିଲ୍ମର ଟିଜର୍ ରିଲିଜ ହୋଇଛି। ଟିଜର ଆସୁ ଆସୁ ରାଣୀ ଦର୍ଶକଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଦେଇଛନ୍ତି। ବିଶେଷକରି ଟିଜରରେ ଦେଖିବାକୁ ମିଳିଛି ରାଣୀଙ୍କ ନିଆରା ଅନ୍ଦାଜ। ଜଣେ କଡ଼ା ପୁଲିସ ଅଧିକାରୀ ଭାବେ ରାଣୀଙ୍କ ଏହି ଅବତାରକୁ ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ। ଟିଜର ଜରିଆରେ ସମାଜକୁ ଏକ ସନ୍ଦେଶ ଦେବାକୁ ଚେଷ୍ଟା କରାଯାଇଛି ଯେ, ଶୋଷଣ ବିରୋଧରେ ମହିଳାମାନେ ବର୍ତ୍ତମାନ ସ୍ୱର ଉତ୍ତୋଳନ କରିବାକୁ ଆଦୌ ପଛଘୁଞ୍ଚା ଦେବେ ନାହିଁ। ପୁଣି ଟିଜରରେ ଦେଖିବାକୁ ମିଳିଛି ଲୋମ ଟାଙ୍କୁରିଉଠିବା ଭଳି ସିନ। ଜଣେ ଲୋକକୁ ରାଣୀ ଖୁବ ପିଟିବା ସହିତ ତାଙ୍କ ମୁହଁରୁ ସଂଳାପ ଉଚ୍ଚାରିତ ହେଉଛି – ‘ଅବ ତୁ କିସି ଲଡକି କୋ ହାଥ ଲଗାକର ତୋ ଦିଖା, ତୁଝେ ଇତନା ମାରୁଙ୍ଗି କି ତେରି ତ୍ୱଚା ସେ ତେରି ଉମ୍ର କା ପତା ନହିଁ ଲଗେଗା।’ (ଏବେ ତୁ କୌଣସି ଝିଅକୁ ହାତ ଲଗେଇ ଦେଖା, ତତେ ଏତେ ମାରିବି ଯେ, ତୋ ତ୍ୱଚାରୁ ତୋ ବୟସ ଜଣା ପଡ଼ିବ ନାହିଁ।) ‘ମର୍ଦ୍ଦାନି ୨’ର ଏହି ଟିଜର ସହ ରାଣୀଙ୍କ ଚରିତ୍ରକୁ ବି ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ। ଫିଲ୍ମକୁ ଦେଖି ଏକଥା କୁହାଯାଇପାରିବ ଯେ, ଏହା ମହିଳା ସଶକ୍ତିକରଣର ଏକ ଉତ୍କୃଷ୍ଟ ଉଦାହରଣ। ଡିସେମ୍ବର ୧୩ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ।