ଗଛ ପକାଇ ଜାତୀୟ ରାଜପଥ ଅବରୋଧ, ପୁଲିସ ଦମନ ନୀତି ଓ ଧାରା ୩୭୦ ଉଚ୍ଛେଦକୁ ବିରୋଧ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ପୁଲିସ ଦମନ ବିରୋଧରେ ୨୫ ଅକ୍ଟୋବର ଶୁକ୍ରବାର ଠାରୁ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବା  ପାଇଁ ସିପିଆଇ (ମାଓବାଦୀ)ଙ୍କ ତରଫରୁ ଦାରଙ୍ଗବାଡ଼ି ବ୍ଲକ ବାରାଡ଼ିକ୍ଲିୟୁ ନିକଟ ଶିଆସୁଗା ୫୯ନଂ ଜାତୀୟ ରାଜପଥ ଉପରେ ଗତ ରାତି ସାଢ଼େ୭ଟା ରେ ସିପିଆଇ ମାଓବାଦୀ ଙ୍କ ତରଫରୁ ଲାଲ୍ ବ୍ୟାନର ଲଗାଯାଇଛି। ଏଥିସହିତ ବେଳେ ଏକ ବଡ଼ ଶାଳ ଗଛକୁ କାଟି ରାସ୍ତା ଉପରେ ପକାଇ ଜାତୀୟ ରାଜପଥକୁ ଅବୋରଧ କରାଯାଇଥିବା ବେଳେ ବିଭିନ୍ନ ଦାବି ସମ୍ବଳିତ ପୋଷ୍ଟର ଗୁଡ଼ିକୁ ଏକ ଜରିରେ ଗଛ ବାନ୍ଧି ଛାଡ଼ିଯାଇଛନ୍ତି। ମିଳିଥିବା ସୁଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ସମୟରେ ବହୁ ମାଓବାଦୀ ସେଠାକୁ ଆସି ବ୍ୟାନର ଓ ପୋଷ୍ଟର ମାରି ଗଛକାଟି ରାସ୍ତାରେ ପକାଇଥିଲେ। ରାସ୍ତା ଉପରେ ଗଛ ପଡ଼ିଥିବାରୁ ଦାରିଙ୍ଗବାଡ଼ି ଠାରୁ ବାଲିଗୁଡ଼ା ଦେଇ ମୁନିଗୁଡ଼ା ଯାଇଥିବା ୫୯ ନଂ ଜାତୀୟ ରାଜପଥ ରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।   ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବ୍ୟାନରରେ ପୁଲିସ ଦମନ ବିରୋଧରେ ୨୫ ଅକ୍ଟୋବର କୁ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି।


ଦୁର୍ନୀତି ହୀନ ରାଜନୈତିକ ପାର୍ଟି ଓ ଆତଙ୍କବାଦୀ ମାଓବାଦୀ ହିଂସା ହୀନ ନୂଆ ଭାରତ ଗଠନ ଆଳଦେଖାଇ ଏକଛତ୍ରବାଦୀଶାଶନକୁ ବିରୋଧ କରନ୍ତୁ ଅସଲ ଦୁର୍ନୀତିକାରୀ ହିଂସାକାରୀଙ୍କ ମୋଦୀ- ନବୀନ ସରକାର ଧାରା ୩୭୦କୁ ଉଚ୍ଛେଦ କରି ଅର୍ଦ୍ଧସାମରିକ ବାହିନୀ ଦ୍ୱାରା କାଶ୍ମୀର ଜନତାକୁ ହତ୍ୟା ଅତ୍ୟାଚାର କରିବା ଅସଲ ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷତା ପାଇଁ ଦେଶ ବ୍ୟାପୀ ଜନ ଆନ୍ଦୋଳନ ଗଢ଼ି ତୋଳନ୍ତୁ। ରାଜ୍ୟବ୍ୟାପୀ ନିଶା ମୁକ୍ତ ପାଇଁ ମହିଳାମାନେ ଆନ୍ଦୋଳନ କୁ ଜୋରଦାର କରନ୍ତୁ ଆଦିବାସୀ ଲୋକ ପର୍ବପର୍ବାଣି ବିବାହ ଉତ୍ସବରେ ପାରମ୍ପରିକ ରାନ୍ଧି ଖାଉଥିବା ମଦକୁ ବେଆଇନ ଘୋଷଣା କରି ନବୀନ ସରକାର ସରକାରୀ ମଦକୁ ପ୍ରୋତ୍ସାହନ ଦେବା। ନିଜ ମା’ ଭଉଣୀକୁ ନିଜେ ଦୁଷ୍କର୍ମ କରି ହତ୍ୟା କରିବା ପ୍ରୋତ୍ସାହନଙ୍କୁ ବିରୋଧ କରନ୍ତୁ। ୪ବର୍ଷର କୁନି ଝିଅ ଆରମ୍ଭ କରି ବୃଦ୍ଧା ମା ଭଉଣୀ ମାନେ ଦୁଷ୍କର୍ମର ଶିକାର ହେଉଥିବା ମହିଳାମାନଙ୍କର ବିଖ୍ୟାତ ଲାଭ କରିଛନ୍ତି ନବୀନ ସରକାର। ସରକାରୀ ମଦ ମାଫିଆଙ୍କ ଅତ୍ୟାଚାର ଦମନକାରୀଙ୍କୁ ଦଣ୍ଡିତ କରାଯାଉ। ଗୃହ ହିଂସା ସାମାଜିକ ରାଜ୍ୟ ହିଂସା ବିରୋଧୀ ମହିଳା ସଂଗଠନ ଗଢ଼ି ତୋଳନ୍ତୁ। ସୁଖ ଶାନ୍ତିରେ ଜୀବନଯାପନ ଜିଇଁବା ପାଇଁ ନିଶା ନିବାରଣ ରାଜ୍ୟ ବ୍ୟାପୀ ମହିଳା ଆନ୍ଦୋଳନରେ ସାମିଲ ହୁଅନ୍ତୁ। ନିଶା ମୁକ୍ତ ଓଡ଼ିଶା ପାଇଁ ମହିଳା ମାନେ ଜୋରଦାର ସଂଘର୍ଷ କରନ୍ତୁ ବୋଲି ୨୨ ଲାଲ୍ ବ୍ୟାନରରେ ଉଲ୍ଲେଖ କରାଯାଇଥିବା ବେଳେ ବ୍ୟାନର ଶେଷରେ ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।

ସ୍ଥାନୀୟ ଅଞ୍ଚଳବାସୀ ମାନେ ପ୍ରଥମଥର ପାଇଁ ଅଂଚଳରେ ମାଓବାଦୀଙ୍କ ଲାଲ୍ ବ୍ୟାନର ଦେଖି ଭୟଭୀତ ହୋଇଥିବା ବେଳେ ସକାଳୁ ସକାଳୁ କାମଧନ୍ଦା ଖୋଜିବାକୁ ବାହାରିଥିବା ବେଳେ ମାଓ ବ୍ୟାନର ଲାଗିଥିବା ହେତୁ କୌଣସି କାମ ଧନ୍ଦା ନପାଇ ନିରାଶ ହୋଇ ଫେରିଥିଲେ। ତେବେ ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୁଲିସ ସମେତ ଜିଲ୍ଲା ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଅବଗତ ଥିବା ସତ୍ତ୍ୱେ ଘଟଣା ସ୍ଥଳରେ ପୁଲିସ ପହଞ୍ଚୁନଥିବା ବେଳେ ୫୯ନଂ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ସାଧାରଣ ବଂଟନ ବ୍ୟବସ୍ଥାରେ ଆସୁଥିବା ଚାଉଳ ଟ୍ରକ ଗୁଡ଼ିକ ଅଧାବାଟରେ ଅଟକି ରହିଛି ଯାହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସହିତ ଯୋଗାଯୋଗ କରିବାରୁ ଅଞ୍ଚଳବାସୀଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ବୋଲି କହିବା ସହିତ କ.ନୂଆଗାଁ ଥାନା ସହିତ ଯୋଗାଯୋଗ ଚାଲିଛି ଖୁବ୍‌ଶୀଘ୍ର ରାସ୍ତା  ଅବରୋଧ ହଟାବାକୁ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ସୂଚନା ପ୍ରକାରେ ଗତକାଲି ଦାରିଙ୍ଗବାଡ଼ି ଥାନା ଅଧିକାରୀ ଏକ ଗଂଜେଇ କେସରେ ଅଭିଯୁକ୍ତଙ୍କୁ ବାଲିଗୁଡ଼ା କୋର୍ଟକୁ ଚାଲାଣ କରିବା ପାଇଁ ଯାଇଥିବା ସମୟରେ ରାସ୍ତାରେ କୌଣସି ଗଛ ଓ  ବ୍ୟାନର ଲାଗିନଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ଫେରିବା ସମୟରେ ଗଛ ପକାଯାଇଥିବାରୁ ମାଓବାଦୀମାନେ ଦାରିଙ୍ଗବାଡ଼ି ପୁଲିସର ଗତିବିଧି ଉପରେ କଡ଼ା ନଜର ରଖୁଥିବା ଅନୁମାନ କରାଯାଉଛି।