ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ ଖସିଗଲେ ମାଓନେତା ଦଶୁରୁ, ଆକାଶ ଓ ସୃର୍ଜନ

ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ପୁଲିସ ଏକ ମାଓ ଶିବିର ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। କନ୍ଧମାଳ ଏସପି ପ୍ରତିକ ସିଂ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମେରୁବନ୍ଧ ପଞ୍ଚାୟତର ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଏସପି ଶ୍ରୀ ସିଂ ଏସଓଜି ଟିମ୍ କୁ କୁମ୍ବିଂ ଓପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁନ୍ ୨୯ ତାରିଖରେ ଟିମ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲା। ତେବେ ଏସଓଜି ଟିମ୍ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଟିମ ଶିବିରରୁ ୧୫ କିଲୋ ବିସ୍ଫୋରକ ଦ୍ରବ୍ୟ ଜବତ କରିଥିଲା।

ଏହାସହ ୨୮ଟି ଡିଟୋନେଟର, ୩ଟି ମଲ୍ଟି ମିଟର, ରିଚାର୍ଜବଲ ବ୍ୟାଟେରୀ, କ୍ୟାମ୍ପ ସାମଗ୍ରୀ, ବ୍ୟାଗ, ପୋଷାକ, ମାଓ ବ୍ୟାନର, ପୋଷ୍ଟର, ଲିଫଲେଟ୍ ଆଦି ଅନେକ ଜବତ କରିଛି। ସେହି ଶିବିରରରେ କିଛି ମହିଳା ମାଓବାଦୀ ସମେତ ୧୫ରୁ ୨୦ ଜଣ ମାଓବାଦୀ ରହିଥିବା ବେଳେ କେକେବିଏନ ଜୋନର ଦଶୁରୁ, ଆକାଶ ଓ ସୃର୍ଜନ ଭଳି କ୍ୟାଡର ମାଓ ନେତା ମଧ୍ୟ ସେଠାରେ ରହିଥିବା ଅନୁମାନ କରାଯାଉଥିବା ଏସପି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଆସନ୍ତା ୨୬ ତାରିଖରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବାକୁ ଯାଉଥିବାବେଳେ ଏହି ସମୟରେ ଜିଲ୍ଲାରେ ବଡ଼ ଧରଣର ଅଘଟଣ ଯୋଜନା କରାଯାଉଥିବା ସନ୍ଦେହ କରାଯାଉଥିବା ସେ କହିଛନ୍ତି।