ପୂର୍ବତନ ଓାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ତରଫରୁ ଧମକପୂର୍ଣ୍ଣ ଚିଠି 

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଂଚାୟତର ୯ନଂ ଓାର୍ଡ ଗ୍ଲୁଡା ଗ୍ରାମର ପୁର୍ବତନ ମେମ୍ବର ତଥା ବର୍ତମାନର ଓାର୍ଡମେମ୍ବରଙ୍କ ସ୍ୱାମୀ ବୁଗିରା ପ୍ରଧାନଙ୍କ ନିକଟକୁ ଆସିଛି ମାଓବାଦୀଙ୍କ ତରଫରୁ ଧମକ ପୁର୍ଣ୍ଣ ଚିଠି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ମାଓବାଦୀ) ତରଫରୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି କି ଯେ, ଆମେ ଶୁଣିବାକୁ ପାଉଛୁ କି ବୁଗିରା ତୁମେ ଓାର୍ଡ ମେମ୍ବର ପଦବୀରେ ରହି ୨ବର୍ଷ ହେଲା କିନ୍ତୁ ତୁମେ ଓାର୍ଡମେମ୍ବର ହେବା ପରଠାରୁ ତୁମ ଗ୍ରାମରେ ଦୁର୍ନିତୀ ହିଂସା ବଢ଼ିବାରେ ଲାଗିଛି। କୌଣସି ଲୋକ ନ୍ୟାୟ ଚାହିଁଲେ ତୁମେ ତାହାକୁ ନ୍ୟାୟ ଦେବା ପରିବର୍ତେ ଲୋକଙ୍କ ଉପରେ ଅତ୍ୟାଚାର କରୁଛ । ଏଥିସହିତ ନ୍ୟାୟ ବିଚାର ପାଇଁ ଗ୍ରାମ୍ୟ କମିଟିରେ ଲୋକେ ରିପୋର୍ଟ ଦେଲେ ତୁମେ ନ୍ୟାୟ ବିଚାର ହୋଇପାରିବ ନାହିଁ ବୋଲି କହୁଛ ।

ଗାଁ’ରେ ପଦବୀରେ ରହି ତମେ ଯଦି ଏମିତି ନ୍ୟାୟ ବିଚାର ନଦିଅ ତେବେ ତୁମ ଜୀବନ କଥା ତମେହିଁ ବୁଝିବ । ତେଣୁ ଏତେସବୁ କହିବାର କାରଣ ହେଉଛି ତୁମେ ନିଜକୁ ଭଗବାନ ନଭାବି ଯଥାଶୀଘ୍ର ଗ୍ରାମରେ କମିଟି ଗଠନ କରି ଗ୍ରାମରେ କେତୋଟି ଘର ଅଛି କେତେ ପରିବାର ଅଛନ୍ତି । କେତେ ପରିବାରର ଘର ଅଛି ଘର ନାହିଁ ତାହା କମିଟିରେ ଜଣାଇବ। କେତେକ ପରିବାରକୁ ନଡ଼ାକି କମିଟି ବୈଠକ କରିବନାହିଁ। ଆମେ ଚାହୁଁଛୁ ତୁମ ଗ୍ରାମରେ କେତେ ଶୀଘ୍ର ଗ୍ରାମ୍ୟ କମିଟି ହେବ। ତେଣୁ ତୁମ ଜୀବନ ତମ ହାତରେ ବୋଲି ଉଲ୍ଲେଖ କରାଯାଇ ବୁଗିରାଙ୍କୁ ପରୋକ୍ଷରେ ହତ୍ୟା ଧମକ ଦିଆଯାଇଛି। ତେବେ ଏନେଇ ବୁଗିରାଙ୍କୁ ପଚାରିବାରୁ ସେ ପୁର୍ବରୁ ଓାର୍ଡମେମ୍ବର ଥିଲେ ବର୍ତମାନ ତାଙ୍କ ସ୍ତ୍ରୀ ଅଛନ୍ତି। ସେ କୌଣସି ଦୁର୍ନିତୀ କରିନାହାନ୍ତି କି ଗ୍ରାମବାସୀଙ୍କ ସହିତ ମନ ମାଳୋନ୍ୟ ନାହିଁ। ଗତ ୧୭ ତାରିଖ ସକାଳେ ତାଙ୍କ ଘର ଆଗରେ ଏହି ଚିଠିଟି ପଡ଼ିଥିବା ଦେଖିଥିଲେ। ଏହା ଅସଲି କି ନକଲି ମାଓବାଦିଙ୍କ କାମ ସେ ଜାଣି ପାରୁନାହାନ୍ତି ଏବଂ ଚିଠି ପାଇବା ଦିନରୁ ଭୟଭୀତ ହୋଇ ଘରୁ ବାହାରକୁ ଯାଉନାହାନ୍ତି। ତେବେ ସେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ବେଳେ ବୁଧବାର ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଥିଲେ। ଏ ନେଇ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ କି ତାଙ୍କ ନିକଟରେ ଏ ବାବଦରେ କୌଣସି ସୂଚନା ନାହିଁ ବୋଲି କହିଥିଲେ।