ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତ। ଗତ ଶନିବାର ମାଲକାନଗିରି ଡିଭିଏଫ ଏବଂ ବିଏସଏଫର ମିଳିତ ଉଦ୍ୟମରେ କାଲିମେଳା ଥାନା ଅନ୍ତର୍ଗତ ସୁଦ୍ଧାକୋଣ୍ଡା ନିକଟସ୍ଥ କୁରୁବ ଜଙ୍ଗଲକୁ କୁମ୍ବିଂ ଅପରେସନ ନିମନ୍ତେ ଯାଇଥିଲେ। ତେବେ ଖବରପାଇ ହତ୍ୟା ନିମନ୍ତେ ବ୍ୟବହୃତ ହେଉଥିବା ସାମଗ୍ରୀ ମାଟି ତଳେ ଲୁଚାଇ ନକ୍ସଲମାନେ ଅନ୍ୟତ୍ର ଚାଲି ଯାଇଥିଲେ। ତେବେ ଏହି କୁରୁବ ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୪୮ଟି ଖାଲି ଗୁଳି, ୧୨ଟି ଜୀବନ୍ତ ଗୋଳାବାରୁଦ, ୯୩ ଟି ଡିଟୋନେଟର, ୨ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଲେଥ ମେସିନ, ଗୋଟିଏ କାର୍ବାଇଡ଼ ଗ୍ୟାସ ୱେଲଡିଂ ସିଲିଣ୍ଡର, ଲେଥ ମେସିନର ସମସ୍ତ ସାମଗ୍ରୀ, ଲୌହ ସାମଗ୍ରୀ ଏବଂ ମାଓବାଦୀ ସାହିତ୍ୟ ଜବତ କରାଯାଇଛି। ତେବେ ଏହି ସବୁ ସାମଗ୍ରୀ ମାଓବାଦୀମାନେ ଆଗକୁ ବଡ଼ କାଣ୍ଡ ଘଟାଇବା ନିମନ୍ତେ ପୁନଃ ଯୋଜନା କରି ରଖିଥିବା ଜଣାପଡ଼ିଛି। ଏହାସହ ବେଆଇନ ଭାବେ ଏସବୁ ତିଆରି କରି ବିଭିନ୍ନ ଅନୈତିକ ଏବଂ ହିଂସାତ୍ମକ କାର୍ୟ୍ୟରେ ବ୍ୟବହାର କରୁଥିବା ଜଣାପଡ଼ିଛି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ମାଲକାନଗିରି ଏସପି ଡି. ଋଷିକେଶ ଖିଲାରି ସୂଚନା ଦେଇଛନ୍ତି।