ବିଭିନ୍ନ ରାଜନେତାଙ୍କୁ ଟାର୍ଗେଟ କରି ମାଓ ପୋଷ୍ଟର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳରେ ପୁଣି ମାଓବାଦୀଙ୍କ ହାତଲେଖା ପୋଷ୍ଟର ଦେଖିବାକୁ ମିଳିଛି । ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ପୋଷ୍ଟର ଲାଗିଛି । ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇ ସରକାରୀ ଅର୍ଥ ହରିଲୁଟ ଏବଂ ରାଜସ୍ୱ ବିଭାଗକୁ ହାତ କରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସତ୍ୱେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି । ଜିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଉଡ଼ାଉଛନ୍ତି ଆମେ ତାହାର ଖୁଲାସା କରିବୁ । ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରେ ଲେଖା ଯାଇଛି । ସିପିଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀ ନାଁରେ ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ ପରେ ଜଣାପଡ଼ିବ ।