ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପୋଷ୍ଟର ଓ ପତ୍ର ଯୁଦ୍ଧ

ମାଲକାନଗିରି, ଏନ୍ଏନ୍ଏନ୍: ଗତ୨ ଦିନ ହେଲା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପୋଷ୍ଟର ଓ ପତ୍ର ଯୁଦ୍ଧ ଆରମ୍ଭ ହୋଇଛି। ଗ୍ରାମବାସୀ ବିଭିନ୍ନସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀଙ୍କ ବର୍ବରତାକୁ ବିରୋଧ କରି ପୋଷ୍ଟର ଲଗାଇଥିବା ବେଳେ ବର୍ତ୍ତମାନ ମାଓବାଦୀଙ୍କ ପକ୍ଷରୁ ପତ୍ର ଜରିଆରେ ଗ୍ରାମବାସୀଙ୍କୁ ଚେତାବନୀ ଦିଆଯାଇଛି। ଗ୍ରାମବାସୀଙ୍କ ପୋଷ୍ଟର ଗତ ୨୦ ତାରିଖ ଦିନ ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ପଞ୍ଚାୟତର ଖଜୁରିଗୁଡା ଗ୍ରାମର ଦାସ ଖେମୁଡୁଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିବା ଏକ ବର୍ବରତା ନୁହେଁ କି ବୋଲି ପ୍ରଶ୍ନ କରିଥିବା ବେଳେ ଏହି ହତ୍ୟାକାଣ୍ଡ ମାଓବାଦୀଙ୍କ ମୁଖା ଖୋଲିଦେଇଛି ବୋଲି ଉଲ୍ଲେଖ କରି ମାଓବାଦୀଙ୍କ କାର୍ଯ୍ୟକୁ ଦୃଢ଼ ବିରୋଧ କରାଯାଇଛି।

ସଂଗ୍ରାମ ନାମରେ ମିଛ ବାହାନାର ଶୀକାର ହୋଇ ଆଦିବାସୀ ପରିବାର ନିଜର ପେଟ ମାରି ସେମାନଙ୍କ ଖାଦ୍ୟକୁ ମାଓବାଦୀଙ୍କୁ ଦେଉଥିଲେ। କିନ୍ତୁ ମାଓବାଦୀମାନେ ଗୁଳିକରି ଆଦିବାସୀଙ୍କୁ ହତ୍ୟା କରୁଛନ୍ତି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରିଥିଲେ। ମାଓବାଦୀମାନେ ମିଛ ବାହାନା କରିବା ବନ୍ଦ କରି ଆଦିବାସୀଙ୍କୁ ବଣ୍ଟିବାକୁ ଦିଅ ବୋଲି ପୋଷ୍ଟର ଉଲ୍ଲେଖ କରାଯାଇଥିଲା। ଏହି ପୋଷ୍ଟର ସ୍ୱାଭିମାନ ଅଞ୍ଚଳର ବାହାଦୁରଗୁଡା, ଯୋଡାମ୍ବ, କୁସୁମପୁଟ, ଲକେଇଗୁଡା ଏବଂ ସେହି ଅଞ୍ଚଳର ବିଭିନ୍ନ ରାସ୍ତା କଡରେ ଥିବା ପୋଲ, ଓ ଗଛ ମାନଙ୍କରେ ଲଗା ଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଛିନ୍ନାଞ୍ଚଳ ଉନ୍ନୟନ କମିଟି, ମାଲକାନଗିରି ବୋଲି ଉଲ୍ଲେଖ ରହିଥିଲା। ତେବେ ଏହାର ୨ ଦିନ ପରେ ମାଓ ସଂଗଠନ ପକ୍ଷରୁ ଏକ ପତ୍ର ମାଧ୍ୟମରେ ପଣସପୁଟ ପଞ୍ଚାୟତବାସୀଙ୍କୁ ବିରୋଧ କରାଯାଇଛି। ଏଥିରେ ମାଓନେତା ଅନୀଲ ପଣସପୁଟବାସୀଙ୍କୁ ଏକାଠି ନ କରିବାକୁ କିଛି ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଏଥିସହ ଗ୍ରାମବାସୀ ପୁଲିସକୁ ସହାୟତା ନ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଯଦି ପୁଲିସକୁ ସହାୟତା କରିବାରେ ନିବୃତ ନ ରହିବେ , ତେବେ ଦାସ ଖେମୁଡୁଙ୍କ ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।