ପୁଲିିସ-ମାଓବାଦୀ ଗୁଳି ବିନିମୟ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଶୁକଲତରମାଠାରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ମଙ୍ଗଳବାର ରାତି ୯ଟାରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝାଂଜପାହାଡ଼ ପାଦଦେଶରେ ଥିବା ଶୁକଲତରମା ଗ୍ରାମରେ କିଛି ମାଓବାଦୀ ସଭା କରୁଥିବା ସୂଚନା ମିଳିଥିଲା। ପରେ ବରଗଡ଼ ଜଲ୍ଲା ଡିଭିଏଫ ଟିମ ହାବିଲଦାର ଟି ଆର ମାଝୀଙ୍କ ନେତୃତ୍ୱରେ ସେଠାରେ ପହଂଚି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଫଳରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିବା ବେଳେ ଜବାବରେ ପୁଲିସ ମଧ୍ୟ ଗୁଳିଚାଳନା କରିଥିଲା। ଉଭୟ ପକ୍ଷରୁ ଘଣ୍ଟାଏ ପର୍ଯ୍ୟନ୍ତ ଗୁଳି ଚାଳନା ହୋଇଥିବାବେଳେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଅନ୍ଧାରର ସୁଯୋଗ ନେଇ ମାଓବାଦୀମାନେ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ। ଆଉ ଆଜି ସକାଳୁ ପୁଲିସ ସର୍ଚ୍ଚ ଅପରସେନ କରି ୧୪ଟି ଗୁଳି, ଗୋଟିଏ ମାଗାଜିନ, କଂପାସ, ପ୍ରଚାର ପୁସ୍ତିକା ଓ ଖାଦ୍ୟ ସାମଗ୍ରୀ ଆଦି ଜବତ କରାଯାଇଥିଲା। ମାଓ କମାଣ୍ଡର ପ୍ରବୀଣଙ୍କ ନେତୃତ୍ୱରେ ଥିବା ଏହି ଟିମରେ ପ୍ରାୟ ୭ ଜଣ ମାଓବାଦୀ ଥିଲେ ଏବଂ ସେମାନେ ବଲାଙ୍ଗୀର-ବରଗଡ଼- ମହାସମୁନ୍ଦ ଡିଭିଜନର କ୍ୟାଡଟ ବୋଲି ସୂଚନା ମିଳିଛି । ଏନେଇ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।