ରାୟପୁର,ଏନ୍ଏନ୍ଏସ୍: ଶନିବାର ସନ୍ଧ୍ୟାରେ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ ପରେ ୧୩ ଜଣ ନିରାପତ୍ତା କର୍ମଚାରୀ ନିଖୋଜ ହୋଇଯାଇଥିବା ପୁଲିସ କହିଛି। ଏଥିରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୪ଜଣ ଯବାନ ଗୁରୁତର ହୋଇଛନ୍ତି। ଅନ୍ୟପଟେ ପୁଲିସ ଗୁଳିରେ ୪ରୁ ୫ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସୁକମା ଜିଲ୍ଲା ମେନପା ଜଙ୍ଗଲରେ ନକ୍ସଲ କ୍ୟାମ ଚାଲିଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।
ଏହାପରେ ସିଆରପିଏଫ୍, ଏସଟିଏଫ୍ ଓ ଡିଆରଜି ଯବାନ ମିଳିତ ଭାବେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଦୀର୍ଘ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଥିଲା। ମାଓବାଦୀଙ୍କ ଗୁଳିରେ ଆହତ ୧୪ଜବାନଙ୍କୁ ବୁରକାପଲ କ୍ୟାମ୍ପରେ ପ୍ରାଥମିକ ଚିକିତ୍ସା ପରେ ଜଗଦଲପୁରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କୁ ରାୟପୁର ରାମକ୍ରିଷ୍ଣା ମେଡିକାଲକୁ ପଠାଯାଇଛି। ଜଙ୍ଗଲ ଭିତରେ ମାଓବାଦୀମାନେ ଲୁଚିଥିବା ଆଶଙ୍କାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।