ରାୟଗଡ଼ା-କଳାହାଣ୍ଡି ସୀମାନ୍ତ କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ପୁଲିସକୁ ପୁଣି ଏକ  ସଫଳତା ମିଳିଛି। ନକ୍ସଲ ଗତିବିଧି ଖବରପାଇ ଏସଓଜି ଏବଂ ଡିଭିଏଫ ଯବାନମାନେ ରାୟଗଡ଼ କଳାହାଣ୍ଡି ସୀମାନ୍ତରେ କୁମ୍ବିଙ୍ଗଅପରେସନ ସମୟରେ ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଚାଲିଥିବା ଜାଣିବାକୁ ପାଇଥିଲେ। ପରେ ଯବାନମାନେ ଉକ୍ତ ଅଞ୍ଚଳକୁ ଡମିନେସନ କରିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ସେଠାରୁ ୨କେଜି ଓଜନର ଲ୍ୟାଣ୍ଡମାଇନ  ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୧୦ଟି ପଲିଥିନ ବ୍ୟାଗ୍, ୫ଟି ପାଣି ବୋତଲ, ୫ସେଟ୍ ପୋଷାକ, ଔଷଧ, ଏବଂ ଖାଦ୍ୟ ସାମଗ୍ରୀ ରହିଛି। ଲ୍ୟାଣ୍ଡମାଇନ ରହିଥିବା ସୂଚନା ମିଳିବା ପରେ ରାୟଗଡ଼ା ସ୍ଥିତ ସିଆରପିଏଫର ଚତୁର୍ଥ ବାଟାଲିୟନ ବୋମା ନିଷ୍କ୍ରିୟ ଦଳକୁ ଖବର ଦେବାପରେ ଘଟଣାସ୍ଥଳରେ ଟିମ ପହଞ୍ଚି ଜଙ୍ଗଲରେ ତାହାକୁବିସ୍ଫୋରଣ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ ଏହି ଶିବିର ବାଘୁନା ଡିଭିଜନ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏଥିରେ ୧୨ ରୁ ୧୫ ସଦସ୍ୟ ଥିବା ସନ୍ଦେହ କରାଯାଉଛି।