ଗନ୍ଧମାର୍ଦ୍ଦନରେ ଏସଓଜି-ମାଓ ମଧ୍ୟରେ ଗୁଳି ବିନିମୟ: ୪ ମାଓ କ୍ୟାମ୍ପ ଠାବ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନରେ ଆଜି ଏସଓଜି ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଅପରପକ୍ଷେ ଏସଓଜି ତରଫରୁ ସେଠାରେ ୪ଟି ମାଓ କ୍ୟାମ୍ପ ଠାବ କରିବା ସହ ହିନ୍ଦୀ ଓ ଓଡ଼ିଆର ହାତ ଲେଖା, ମାଓ ପ୍ରଚାର ପତ୍ର, ଜୀବନ୍ତ ଗୁଳି, ଖୋକା ସହ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ବରଗଡ଼ ଓ ବଲାଙ୍ଗିରର ଏସଓଜି ସହ ସିଆରପିଏଫ ମିଳିତ କୁମ୍ବିଂ ଜାରି ରଖିଥିଲେ। ଶନିବାର ସକାଳେ ସେଠାରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା। ଏନେଇ ଆଜି ଏସଓଜି ତରଫରୁ ଚଢ଼ଉ କରାଯାଇ ସେମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିବା ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ। ପରେ ଏସଓଜି ପକ୍ଷରୁ ପାଲଟା ଗୁଳିଚାଳନା ହୋଇଥିଲା। ଉଭୟ ପକ୍ଷରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହେବାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟରେ ବର୍ଷାର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ।

ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନର ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଥିବାବେଳେ ଏସଓଜି ତରଫରୁ ୭୨ ରାଉଣ୍ଡ ଫାୟାର କରାଯାଇଥିବା ସୂଚନା ମିଳିଛି। ସେଠାରୁ ୪ଟି ମାଓକ୍ୟାମ୍ପ ଠାବ ହେବାସହ ଗୋଟିଏ ଜୀବନ୍ତ ଗୁଳି, ଏକେ-୪୭ର ଖୋକା, ୧୨ଟି ଖାଲି ଖୋକା, ମାଓ ପ୍ରଚାର ପତ୍ର, ଷ୍ଟାର ଟୋପି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି କ୍ୟାମ୍ପରେ ଟପ କ୍ୟାଡର ମାଓବାଦୀ ଥିବା ଜବତ ହୋଇଥିବା ଷ୍ଟାର ଟୋପିରୁ ସୂଚନା ମିଳୁଛି ବୋଲି ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି। ଏନେଇ ପାଇକମାଲ ଥାନାରେ କେସ ନମ୍ବର ୧୩୧ରେ ଏକ ମାମଲା ରୁଜୁ ହୋଇଛି।