ଗଞ୍ଜେଇ ଚାଷ କଟାକୁ ବନ୍ଦ କରିବା ଦାବୀରେ ଲାଗିଲା ମାଓ ବ୍ୟାନର

କନ୍ଧମାଳ,ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ବଇରକୁମ୍ପା ହାଇସ୍କୁଲ ନିକଟରେ ମାଓ ବ୍ୟାନର ଲଗାଇ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ଅନ୍ୟପଟେ ଏହି କେଳାପଡ଼ା ଅଞ୍ଚଳରେ ପ୍ରଥମଥର ଏମିତି ମାଓ ବ୍ୟାନର ଲାଗିଥିବା ଦେଖିବା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଗତ କିଛିଦିନ ହେଲା ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ପୁଲିସ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଆରମ୍ଭ କରିଥିବାବେଳେ ପ୍ରଥମେ ପୁଲିସ ଫିରିଙ୍ଗିଆ ବ୍ଲକରୁ ଏହି ଅଭିଯାନ ଆରମ୍ଭ କରିଥିଲା । ଲାଗିଥିବା ମାଓ ବ୍ୟାନରରେ ଏହି ଗଞ୍ଜେଇ ଗଛ କଟାକୁ ବନ୍ଦ କରିବା ପାଇଁ ଉଲ୍ଲେଖ ରହିଥିବାବେଳେ ଗତ କିଛିଦିନ ତଳେ ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳର ଜନସାଧାରଣ ଫିରିଙ୍ଗିଆ ଥାନାକୁ ପୋଡ଼ି ଦେଇଥିଲେ । ଏହି ଘଟଣାରେ ନିଲମ୍ବିତ ହୋଇଥିବା ତତ୍କାଳୀନ ଥାନାଧିକାରୀଙ୍କୁ ଗିରଫ କରିବା ନେଇ ବ୍ୟାନରରେ ଉଲ୍ଲେଖ ରହିଛି । ବୁଧବାର ସକାଳୁ ମାସରୀପଡ଼ା ନୂଆପଦର ମୁଖ୍ୟ ରାସ୍ତାର ବଇରୀକୁମ୍ପା ହାଇସ୍କୁଲ ନିକଟରେ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ଏହି ପୋଷ୍ଟର ଲାଗିଛି । ବ୍ୟାନରର ଶେଷରେ ସିପିଆଇ ମାଓବାଦୀ କନ୍ଧମାଳ ଲେଖା ରହିଛି । ଅନ୍ୟପଟେ ଗଞ୍ଜେଇ କଟା ଆରମ୍ଭ ହେବା ପରେ କିଛି ଗଞ୍ଜେଇ ମାଫିଆ ମାଓବାଦୀଙ୍କ ନାଁନେଇ ଏହି ପୋଷ୍ଟର ଲଗାଇଛନ୍ତି ଏବଂ ବ୍ୟାନରକୁ ନେଇ ଭୟଭୀତ ନହେବା ପାଇଁ ଜନସାଧାରଣଙ୍କୁ ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନ ଅନୁରୋଧ କରିଛନ୍ତି ।