ନୂଆଦିଲ୍ଲୀ, ଏଜେନ୍ସି : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶଂସକ ନିରାଶ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ କିଛି ଦିନ କାମରୁ ବିରତି ନେଉଛନ୍ତି ବୋଲି ସୋସିଆଲ ମିଡିଆରେ ଟୁଇଟ କରିଛନ୍ତି ସଞ୍ଜୟ। ଏବେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ବୟାନ ଆସିଛି। ମାନ୍ୟତା ସଞ୍ଜୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କହିଛନ୍ତି ଯେ, ‘ସଞ୍ଜୁ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ବୋଲି ପ୍ରାର୍ଥନା କରୁଥିବା ଲୋକଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏଭଳି ସ୍ଥିତିିରୁ ମୁକୁଳିବା ପାଇଁ ଆମକୁ ଧୌର୍ଯ୍ୟ, ସାହସ ଏବଂ ପ୍ରାର୍ଥନାର ଆବଶ୍ୟକତା ରହିଛି। ପରିବାର ଗତ କିଛିଦିନ ଧରି ଅନେକ ସମସ୍ୟା ସାମ୍ନା କରିଆସୁଛି। ମାତ୍ର ମୋର ଭରସା ଅଛି ଯେ, ଏହି ସମୟ ମଧ୍ୟ ବିତିଯିବ। ମୋ ସଞ୍ଜୁଙ୍କ ପ୍ରଶଂସକଙ୍କୁ ମୋର ଏତିକି ଅନୁରୋଧ, ସେମାନେ ଅଯଥା ଗୁଜବ ଏବଂ ଆକଳନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ସଞ୍ଜୁଙ୍କୁ ସେମାନେ ନିଜର ସ୍ନେହ, ଶ୍ରଦ୍ଧା, ସମର୍ଥନ ଦିଅନ୍ତୁ। ଆମ ପରିବାର ସହିତ ଠିଆ ହୁଅନ୍ତୁ। ସଞ୍ଜୁ ସର୍ବଦା ଫାଇଟର ବୋଲି ନିଜକୁ ପ୍ରମାଣିତ କରିଆସିଛନ୍ତି। ଆମ ପରିବାର ମଧ୍ୟ। ଆପଣଙ୍କ ପ୍ରାର୍ଥନା, ଭଲପାଇବା ହିଁ ଆମକୁ ଦରକାର।