ସମସ୍ୟାରେ ଶଢ଼ୁଛି ଗାନ୍ଦାରଗୁଡ଼ି

ରାକେଶ କୁମାର ସାହୁ, ଦାରିଙ୍ଗବାଡ଼ି

ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ସୁବିଧା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଗାଁର ଉନ୍ନତି ଓ ବିକାଶ ପାଇଁ ମାଳମାଳ ସମାଜ କଲ୍ୟାଣ ଯୋଜନା କରୁଥିଲେ ସୁଦ୍ଧା ସରକାରୀ ବାବୁମାନଙ୍କ ଅପାରଗତା ଯୋଗୁଁ ପ୍ରକୃତ ଅଞ୍ଚଳବାସୀ ତା’ର ସୁବିଧା ପାଇପାରୁନାହାନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ଦୁର୍ଗମ ଗ୍ରାମ ଗାନ୍ଦାରଗୁଡ଼ିରେ।

ଗଦାପୁର ପଞ୍ଚାୟତର ୧୩ ନମ୍ବର ଓାର୍ଡର ସୁନାପାଙ୍ଗା, ଗବେରଗାଟୁ, ଡେଙ୍ଗାଲଗାଟୁ ପଡ଼ା ଗ୍ରାମକୁ ନେଇ ଗାନ୍ଦାରଗୁଡ଼ି ଗ୍ରାମ ଗଠିତ। ଦାରିଙ୍ଗବାଡ଼ି ବ୍ଲକ୍ କାର୍ଯ୍ୟାଳୟଠାରୁ ୩୦କିଲୋମିଟର ଦୂରରେ ଥିବା ଗଦାପୁର ପଞ୍ଚାୟତଠାରୁ ୭ କିଲୋମିଟର ଯିବା ପରେ ୭ଟି ଘଞ୍ଚ ଜଙ୍ଗଲଭରା ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ଗ୍ରାମ। ଗାଁ’କୁ ଯିବା ପାଇଁ ପାଦଚଲା ରାସ୍ତାଟିଏ ବି ନାହିଁ। ସରକାରଙ୍କ ଯୋଜନା କଣ ଏମାନେ ଜାଣିନାହାନ୍ତି। ଭାଗ୍ୟକୁ ଆଦରି ଜଙ୍ଗଲ ପର୍ବତଘେରା ମଧ୍ୟରେ ରହିଆସୁଛନ୍ତି ଗ୍ରାମବାସୀ।

ଗ୍ରାମର ଗୋଟିଏ ପଟେ ଘଞ୍ଚଜଙ୍ଗଲ ପାହାଡ଼ଟି ଅନ୍ୟ ପଟେ ଡିମ୍ବୁଲି ନଦୀ। ଗ୍ରାମବାସୀ ପାନୀୟ ଜଳଠାରୁୁ ଆରମ୍ଭକରି ପକ୍କାଗୃହ ବିଜୁଳି ବାର୍ଦ୍ଧକ୍ୟ ଭତ୍ତା ସୁବିଧାରୁ ବଞ୍ଚିତ। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୮୦ ପରିବାରରେ ପାଖାପାଖି ୪୦୦ ଲୋକେ ବସବାସ କରୁଛନ୍ତି। ଗ୍ରାମର ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ ଓ ରାସ୍ତା। ରାସ୍ତା ନଥିବାରୁ ଗ୍ରାମବାସୀ ସାମାନ୍ୟତମ ସୁବିଧା ପାଇବାଠାରୁ ଆରମ୍ଭ କରି ରାସନ୍ ସାମଗ୍ରୀ ଆଣିବା ପାଇଁ ୭ଟି ଦୁର୍ଗମ ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟ ଆସି ସାମଗ୍ରୀ ନେଇଥାନ୍ତି। ପାହାଡ଼ ଭିିତରେ ସାଇକେଲ ଯିବା ସମ୍ଭବ ନଥିବାରୁ ଲୋକେ ଜିନିଷପତ୍ର ନିଜ ପିଠିରେ ବୋହିଥାନ୍ତି।

ସେହିପରି ପାନୀୟଜଳ ପାଇଁ ଲୋକେ ଗାଁରେ ଥିବା ନଦୀ, ନାଳ ଓ ବିଲ ଉପରେ ଭରସା କରିଥାନ୍ତି। ଗାଁରେ କୁଅ କିମ୍ବା ନଳକୂଅ ନାହିଁ। ବର୍ଷାଦିନେ ଯେନତେନ ପ୍ରକାରେ ଲୋକେ ଚଳିଯାନ୍ତି। କିନ୍ତୁ ଖରାଦିନ ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁ ଲୋକେ ବିଜୁଳି ଆଲୁଅ କ’ଣ ଜାଣିନାହାନ୍ତି। ଗ୍ରାମବାସୀ ସୌଭାଗ୍ୟ ଯୋଜନାରେ ବିଜୁଳି ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ବିଜୁଳି ପାଇବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେହିପରି ଗାଁର ସ୍ୱାସ୍ଥ୍ୟ ସମସ୍ୟା ଜଟିଳ। ରାସ୍ତା ନଥିବାରୁ ସାଧାରଣ ଜ୍ୱର କିମ୍ବା ଝାଡ଼ା ହେଲେ ଝଡ଼ାଫୁଙ୍କା ବ୍ୟତୀତ ଅନ୍ୟ କୈଣସି ମାଧ୍ୟମ ନାହିଁ।

ମୁଖ୍ୟତଃ ଗର୍ଭବତୀ ମହିଳାମାନେ ବିଶେଷ ଅସୁବିଧା ଭୋଗିଥାନ୍ତି। ଜରୁରିକାଳୀନ ପରିସ୍ଥିତିରେ ରୋଗୀ ଓ ଗର୍ଭବତୀମାନଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନେଇଥାନ୍ତି। ବିଭିନ୍ନ ସମୟରେ ଡାକ୍ତରଖାନା ଯାଇ ନପାରି କିଛି ଲୋକ ମୃତ୍ୟୁ ବରଣ କରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ସେହିପରି ପାଠ ପଢ଼ିବା ପାଇଁ ଗ୍ରାମର ୧୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପ୍ରତିଦିନ ୭ଟି ପାହାଡ଼ ଚଢ଼ି ଜୀବନକୁ ବାଜି ଲଗାଇ ନିକଟସ୍ଥ ଧୁୁସାରୀଗାଁ ବିଦ୍ୟାଳୟକୁ ବହୁ କଷ୍ଟରେ ଯା’ଆସ କରୁଛନ୍ତି।

ଗାଁରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରଟିଏ ଥିଲେ ମଧ୍ୟ ୧୦୦ରୁ ଊଦ୍ଧ୍ୱର୍ ଶିଶୁ ଗାଁରେ ଥିବାରୁ ସଠିକ୍ ପରିମାଣର ସୁଷମଖାଦ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି। ଗ୍ରାମବାସୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ଅବା ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନାଠାରୁ ବହୁ ଦୂରରେ। ଗତବର୍ଷ ଦାରିଙ୍ଗବାଡ଼ିର ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିଲୋଚନ ପାତ୍ର ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଦେଖିଥିଲେ ସୁଦ୍ଧା ବର୍ତ୍ତମାନ ତାଙ୍କର ବଦଳି ହୋଇଯାଇଥିବାରୁ ଗ୍ରାମର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ।