ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର

ଜନ୍ମସ୍ଥାନରେ ମ୍ୟୁଜିୟମ ଓ ଲାଇବ୍ରେରୀ ଖୁବଶୀଘ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ଭାଷାର ଯଶସ୍ୱୀ ସାରସ୍ୱତ ସାଧକ ତଥା ପ୍ରଜ୍ଞା ପୁରୁଷ ସ୍ୱର୍ଗତ ମନୋଜ ଦାସଙ୍କୁ ରାଜ୍ୟ ସରକାର ଉଚିତ ସମ୍ମାନ ଦେଇଛନ୍ତି। ତାଙ୍କ ସ୍ମୃତିରେ ଏଣିକି ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ ସହ ଜନ୍ମସ୍ଥାନରେ ମ୍ୟୁଜିୟମ ଓ ଲାଇବ୍ରେରୀ ଖୁବଶୀଘ୍ର ପ୍ରତିଷ୍ଠା ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକଙ୍କୁ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦ ଏକ ଲଷ ଟଙ୍କା ଦିଆଯିବ। ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ବାଲେଶ୍ୱର ଜିଲ୍ଲା ଶଙ୍ଖାରୀ ଗ୍ରାମରେ ଥିବା ମନୋଜର ପୈତୃକ ବାସଭବନକୁ ରାଜ୍ୟ ସରକାର ହାତକୁ ନେବେ। ତାହାକୁ ପ୍ରଥିତ୍ୟଶା ଭାତୃଦ୍ୱୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ। ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ୱାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ। ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ। ସ୍ୱର୍ଗତ ମନୋଜ ଦାସଙ୍କ ପରିବାର ସଦସ୍ୟଙ୍କ ପ୍ରସ୍ତାବକ୍ରମେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ୱର୍ଗତ ମନୋଜ ଦାସଙ୍କର ବିୟୋଗ ପରେ ସେ ତାଙ୍କ ପରିବାରର ସଦସ୍ୟଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ୱର୍ଗତ ଦାସଙ୍କ ସ୍ମୃତି ରକ୍ଷା ସଂପର୍କରେ ଆଲୋଚନା କରିଥିଲେ।